ଯେଉଁମାନଙ୍କ ଜୀବନରେ ନଈ ନାହିଁ କି ନାଆ ନାହିଁ । ତଥାପି ଅକାତକାତ ପାଣି । ଯାହାକୁ ବିନା କାତ, ବିନା ଆହୁଲାରେ ବଢ଼ିଲା ନଈ ପାରି ହେବା ପରି ସେମାନେ ରୀତିମତ ପାରି ହେବାର ପ୍ରୟାସ କରୁଛନ୍ତି । କଷଣ କଣ, କରୁଣା କଣ । ସେମାନେ କିଛି ଜାଣନ୍ତିନି । ହତାଶାର ହାହାକାର ଭିତରେ ସେମାନେ ଏମିତି ଛନ୍ଦି ହୋଇଛନ୍ତି ଯେ ନିର୍ବାଚନ ବେଳେ ଭାଟ ସାଜୁଥିବା ମଣିଷମାନଙ୍କର ଭୋଟର ହେବାକୁ ସେମାନଙ୍କ ପାଖରେ ସମୟ ନାହିଁ । ପେଟର ଭୋକ ପାଖରେ କି ଭୋଟ୍ ।
ପଦ୍ମପୁର ପ୍ରଚାରର ଝଲମଲ ମାହୋଲ ଭିତରେ ଭିତରେ ଲୁଚିଛି ପେଟର ଜ୍ବାଳା । ଗାଁଗାଁରେ ତାଟି କବାଟ । କେଉଁଠି ବଢ଼ା ବାପା,ମାଆକୁ ଛାଡ଼ି ଭେଣ୍ଡିଆ ଯାଇଛି ଦାଦନ । କେଉଁଠି ପୁଅକୁ ଛାଡ଼ି ବାପା ଯାଇଛନ୍ତି ଭୋକର ଉତ୍ତର ଖୋଜିବାକୁ । ପେଟ ପାଖରେ ହାର ମାନିଛି ଭୋଟ୍ ର ଆହ୍ବାନ ।
ପାଇକମାଲ ବୁଟୁରା ଖମାର ଗାଁର ସୁବର୍ଣ୍ଣୀଙ୍କ ବାପା- ମାଆ, ଭାଇ ୬ ମାସ ହେଲା ଦାଦନ ଖଟିବାକୁ ଯାଇଛନ୍ତି ହାଇଦ୍ରାବାଦ । ୮୦ ବର୍ଷର ରୋଗିଣା ବୁଢ଼ୀ ଜେଜେ ମାକୁ ଜଗେଇ ଦେଇ ଯାଇଛନ୍ତି ପୂରା ପରିବାର। ବାପା ସହ କଥା ହୋଇ ଚଳିବାକୁ ପଇସା ମାଗିଛି ସୁବର୍ଣ୍ଣୀ । ହେଲେ ସେଠି ଜୁଲମ କରୁଛି ଭାଟି ମାଲିକ । ଆଉ ଏଠି ଦଗା ଦେଇଛି ଦାଦନ ସର୍ଦ୍ଦାର। ସବୁ ଗାଁ ରେ ଏମିତି ଶହ ଶହ ସୁବର୍ଣ୍ଣୀ, ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ।
ବୁଟୁରାଖମାର ଗାଁର କାର୍ତ୍ତିକ ଭୋରା ସାଗର, ଛବିଳ ମହାନନ୍ଦ, କ୍ଷୀରୋଦ ମହାନନ୍ଦ, ନନ୍ଦଲାଲ ମହାନନ୍ଦଙ୍କ ପରି ଅନେକ ଲୋକଙ୍କ ଘରେ ତାଲା ଝୁଲୁଛି। କିଏ 6 ମାସ ଆଗରୁ ଯାଇଛି ତ ଆଉ କିଏ ଦଶହରା ପରେ ଦାଦନ ଖଟିବାକୁ ପୂରା ପରିବାର ନେଇ ଯାଇଛି ।
ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ୍ମପୁର ପାଇଁ ୪୦୦ କୋଟି ର ପ୍ୟାକେଜ ଘୋଷଣା କରିଥିଲେ। ଏବେ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ଙ୍କ ପ୍ୟାକେଜ ଦୂର କରିବ କି ପଦ୍ମପୁର ର ଦାଦନ ଯନ୍ତ୍ରଣା ? ଭୋଟ ଦେବାକୁ ଆସିବେ କି ଗାଁ ଛାଡିଥିବା ଭେଣ୍ଡିଆ? କୁଆଡେ ଗଲା ସରକାରଙ୍କ ୨୦୦ ଦିନ କାମ ଦେବାର ପ୍ରତିଶ୍ରୁତି ?
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।