ସେପଟେ କଟକଣା କୋହଳ ହେବା ପରେ ପ୍ରାର୍ଥୀଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ । ସବୁ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ନିଷ୍ପତିକୁ ସ୍ଵାଗତ କରିଛନ୍ତି । ଆଉ ଏ ସବୁ ଭିତରେ ପଞ୍ଚାୟତ ପରୀକ୍ଷା ପାସ କରିବା ପାଇଁ ବିଭିନ୍ନ ମୁଦ୍ଦା ସହ ପ୍ରଚାର ମଇଦାନକୁ ଓହ୍ଲାଇବେ ହେଭିୱେଟ । ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଡିଜିଟାଲ ପ୍ରଚାର କରିବେ ।
ଆସନ୍ତା ଦୁଇ ସପ୍ତାହ ଶନିବାର ଓ ରବିବାର ଡିଜିଟାଲ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ । ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଡିଜିଟାଲ ପ୍ରଚାର କରିବେ । ଆସନ୍ତାକାଲି ଠାରୁ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ପ୍ରଚାର ମଇଦାନରେ ଓହ୍ଲାଇବେ । ଅନ୍ୟପଟେ ବିଜେଡି ମଧ୍ୟ ପଞ୍ଚାୟତ ପ୍ରଚାର ପାଇଁ ଆରମ୍ଭ କରିଦେଇଛି ଜୋରଦାର ପ୍ରସ୍ତୁତି । ଭର୍ଚୁଆଲ ବୈଠକ ମାଧ୍ୟମରେ ଯୁବ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏବଂ ଯୁବ ବଜେଡ଼ି ଉପଦେଷ୍ଟା ପ୍ରଣବ ବଲବନ୍ତରାୟ । । ଆଉ କଂଗ୍ରେସ ମଧ୍ୟ ବିଭିନ୍ନ ଅଞ୍ଚଳରେ କଟକଣା ଭିତରେ ପ୍ରଚାର ଚଳାଇଛି ।
ପଞ୍ଚାୟତ ଭୋଟ ପାଇଁ ଆଉ ମାତ୍ର ୧୦ ଦିନ ବାକି । ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପାଇଁ ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ । ସ୍ଵଳ୍ପ କଟକଣା ଭିତରେ ଜମିବ ପ୍ରଚାର ମଇଦାନ।