ଆମେ କହୁଛୁ ନିପଟ ମଫସଲ ଗାଁରେ ରହୁଥିବା ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପିଲାଦିନର ସାଙ୍ଗ ଗୌରୀ ମଲ୍ଲିକଙ୍କ କଥା । ଯିଏକି ଦୀର୍ଘ ବର୍ଷ ତଳେ ଭୁବନେଶ୍ୱର କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢିବା ସହ ଗୋଟିଏ ହଷ୍ଟେଲରେ ମହାମହିମଙ୍କ ସହ ରହୁଥିଲେ । ଗୋଟିଏ ଶ୍ରେଣୀରେ ପାଠ ପଢିବା ସହ ନାଚ ଗୀତ ସାଙ୍ଗ ହୋଇ କରୁଥିଲେ । ପାଠ ନଆସିଲେ ଉଭୟ ଉଭୟଙ୍କୁ ପଚରାପଚରି କରି ପଢୁଥିଲେ ।
ଆଉ ଏ ଖବରକୁ ଆମେ ବିଭିନ୍ନ ସମୟରେ ପ୍ରକାଶିତ କରିଛୁ । କିଭଳି ଭାବେ ମହାମହିମ ରାଷ୍ଟ୍ରପତିଙ୍କ ପିଲା ଦିନର ସାଙ୍ଗ ତାଙ୍କୁ ଭେଟିବାକୁ ଚାହୁଁଛନ୍ତି । କୃଷ୍ଣ ସୁଦାମାଙ୍କ ପରି ଦୁଇ ସାଙ୍ଗଙ୍କ ଖବର ଆମେ ପ୍ରକାଶିତ କରିଥିଲୁ । ସେ ଖବର ମଧ୍ୟ ମହାମହିମ ରାଷ୍ଟ୍ରପତି ମହାଦୟାଙ୍କ ଦୃଷ୍ଟି ଗୋଚର ହେବା ପରେ ରାଷ୍ଟ୍ରପତି ଭବନରୁ ଆସିଛି ପିଲା ବେଳର ସାଙ୍ଗ ଗୌରୀ ଦେବୀଙ୍କୁ ଭେଟିବା ପାଇଁ ଡକରା ।
ଏହି ସୁନ୍ଦର ମୁହୂର୍ତ୍ତର ଭେଟଘାଟ ଆସନ୍ତା ୨୬ ତାରିଖ ସନ୍ଧ୍ୟା ସମୟରେ ରାଜଭବନରେ ହେବାକୁ ଥିବାବେଳେ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଏହି ନେଇ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶ ଆସିଛି । ଏନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ତତତ୍ପରତା ପ୍ରକାଶ କରିଛି । ଗୌରୀଙ୍କୁ ଏହି ବିଷୟରେ ବେଗୁନିଆ ବିଡିଓ ଜଣାଇବା ସହିତ କିଭଳି ତାଙ୍କର ସୁରୁଖୁରୁରେ ମହାମହିମ ରାଷ୍ଟ୍ରପତିଙ୍କ ସହିତ ଭେଟଘାଟ ହେବ ସେନେଇ ତତ୍ପରତା ପ୍ରକାଶ କରିଛି ସ୍ଥାନୀୟ ପ୍ରଶାସନ ।
ତେବେ ଗୌରୀ ଦେବୀଙ୍କ ଦୀର୍ଘ ବର୍ଷର ଆଶା ଏବେ ତାହା ଗଣମାଧ୍ୟମ ଦ୍ବାରା ପୂରଣ ହେବାକୁ ଯାଉଛି । ଏବଂ ପିଲା ଦିନ ସ୍ମୃତିକୁ ସେ ରାଷ୍ଟ୍ରପତିଙ୍କୁ ଭେଟି ବାଣ୍ଟିବା ପାଇଁ ଆଶା ରଖିଛନ୍ତି । ମହାମହିମଙ୍କୁ ଭେଟିବା ପାଇଁ ଗୌରୀ ଦେବୀଙ୍କ ସହ ତାଙ୍କ ପୁଅ ଓ ବୋହୂଙ୍କୁ ଭେଟିବାକୁ ଅନୁମତି ଆସିଥିବା ଜଣାପଡିଛି । ତେବେ ମହାମହିମ ରାଷ୍ଟ୍ରପତିଙ୍କ ଡାକରା ପାଇ ବେଶ ଖୁସି ଅଛନ୍ତି ଗୌରୀ ଦେବୀ । ଏଥିପାଇଁ ଗଣମାଧ୍ୟମକୁ ଅଶେଷ ଧନ୍ୟବାଦ ଦେବା ସହିତ ଗଣମାଧ୍ୟମ ପାଇଁ ତାଙ୍କ ପିଲାଦିନର ସାଙ୍ଗ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିବା ଆଶା ପୂରଣ ହୋଇଛି ବୋଲି କହିଛନ୍ତି ।