ଏ ଦିଗରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଐତିହାସିକ ଅବଦାନକୁ ମନେ ପକାଇଲେ ମହାମହିମ। କହିଲେ ନିଜେ ଓଡ଼ିଶା ସରକାରରେ ମନ୍ତ୍ରୀ ଥିବାବେଳେ ସାନ୍ତାଳୀ ଭାଷାକୁ ସମ୍ବିଧାନରେ ସ୍ଥାନିତ କରିବାକୁ ଉଦ୍ୟମ କରିଥିଲେ । ବାଜପେୟୀଙ୍କ ଯୋଗୁଁ ହିଁ 2003 ଡିସେମ୍ବର 22ରେ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ ହେଲା ସାନ୍ତାଳୀ ଭାଷା ।
ବାଜପେୟୀ ସରକାରଙ୍କ ଅମଳରୁ ସାନ୍ତାଳୀ ଭାଷାକୁ ମିଳିଲା ମାନ୍ୟତା। ଅନ୍ୟ ଭାରତୀୟ ଭାଷା-ସାହିତ୍ୟ ଭଳି ସାନ୍ତାଳୀ ଭାଷାର ଲେଖକ-ଲେଖିକାମାନଙ୍କୁ ଜାତୀୟ ସ୍ତରରେ ସମ୍ମାନ ମିଳିବାର ଧାରା ଆରମ୍ଭ ହେଲା। ଏହି ଧାରା ମୋଦି ସରକାରରେ ମଧ୍ୟ ଜାରି ରହିଛି। 2020ରେ ଦମୟନ୍ତୀ ବେସ୍ରା ଓ 2022ରେ କାଳୀପଦ ସରେନ୍ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି।
ସାମ୍ପ୍ରତିକ ବିଶ୍ବରେ ବଡ଼ ସମସ୍ୟା ପାଲଟିଛି ଜଳବାୟୁ ପରିବର୍ତ୍ତନ। ଏହି ସମସ୍ୟାରୁ ମୁକ୍ତି ପାଇଁ ଆବଶ୍ୟକ ପ୍ରକୃତି ଅନୁକୂଳ ଜୀବନ ଯାପନ । ଯାହା ଶିକ୍ଷା କରିବାର ଉତ୍ସ ହେଉଛି ଆଦିବାସୀଙ୍କ ଜୀବନ । ଏଣୁ ସାହିତ୍ୟିକ ମାନେ ନିଜ ଲେଖାରେ ଜନଜାତୀୟ ସମାଜଭିତ୍ତିକ ପ୍ରସଙ୍ଗ ସବୁକୁ ସ୍ଥାନ ଦେବାକୁ ରାଷ୍ଟ୍ରପତି ଦେଇଛନ୍ତି ଆହ୍ବାନ ।
ଛୋଟ ପିଲାମାନଙ୍କୁ ପଢ଼ାପଢ଼ି ପ୍ରତି ଆକୃଷ୍ଟ କରିବା ବର୍ତ୍ତମାନ ସମୟର ଆହ୍ବାନ । ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । କହିଛନ୍ତି ସାନ୍ତାଳୀ ସମେତ ସବୁ ଭାରତୀୟ ଭାଷାରେ ରୁଚିପୂର୍ଣ୍ଣ ଶିଶୁ ଓ କିଶୋର ସାହିତ୍ୟ ରଚନା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।
ସାନ୍ତାଳୀ ଭାଷା ସମ୍ମିଳନୀ ପରେ ମୟୁରଭଞ୍ଜ କୁଳିଅଣାରେ ଏକଲବ୍ୟ ମଡେଲ ସ୍କୁଲର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମ୍ବୋଧନରେ ଆଦିବାସୀ ଅଞ୍ଚଳର ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବା ଏଭଳି ସ୍କୁଲର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହି ସଭାରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଜଗନ୍ନାଥ ସାରକା ପ୍ରମୁଖ ଉପସ୍ଥିତ ଥିଲେ ।