ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ଅକାଳ ମୃତ୍ୟୁ ପଛରେ ବିରାଟ ଷଡଯନ୍ତ୍ର ଦିନକୁ ଦିନ ଘନୀଭୁତ ହେଉଥିବାବେଳେ ରାଜ୍ୟ ସରକାର ଏହାର ସତ୍ୟାସତ୍ୟକୁ ଚାପି ଦେବାର ଅପପ୍ରୟାସ କରୁଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦାରଖ କରି ରାଜ୍ୟ ସରକାର ଏହି ସନ୍ଦେହକୁ ଆହୁରି ଘନୀଭୁତ କରିଛନ୍ତି । ଅତୀତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ହେଉ କି କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇଥିଲେ ଏବଂ ଏହାର ଫଳାଫଳ ବିରାଟ ଶୂନ ହୋଇ ରହିଗଲା । ଆଜି ପର୍ଯ୍ୟନ୍ତ ଉପରୋକ୍ତ ଦୁଇଟି ଘଟଣାର କୈାଣସି ଫଇସଲା ସାମ୍ନାକୁ ଆସିଲା ନାହିଁ । ଏପରି ସ୍ଥଳେ ନବ ଦାସଙ୍କ ହତ୍ୟାର ତଦନ୍ତକୁ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଇ ରାଜ୍ୟ ସରକାର କଣ ବାର୍ତା ଦେବାକୁ ଚାହୁଁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ପରେ ଆଜି ଓଡ଼ିଶାବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଓଡିଶାବାସୀଙ୍କ ମନରୁ ଏହି ହତ୍ୟା ଷଡଯନ୍ତ୍ରର ସନ୍ଦେହକୁ ଦୁରୀଭୁତ କରିବା ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ସୁପାରିଶ କରିବାକୁ ପୁନର୍ବାର ଦାବୀ କରୁଛୁ ବୋଲି ଶ୍ରୀ ହରିଚନନ୍ଦନ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ଉପସ୍ଥିତ ଥିଲେ ।