ଯାତ୍ରା ହେଉ ଅବା ଫିଲ୍ମ ଯାଦୁକାରୀ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ ରାଇମୋହନ। ୧୯୮୫ରେ ରାଇମୋହନଙ୍କ ଅଭିନୟ କ୍ୟାରିୟର ଆରମ୍ଭ । ୧୯୮୭ରେ ସେ ‘ସାଗର’ ଫିଲ୍ମରେ ପ୍ରଥମେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ଲମ୍ବିଥିଲା ଫିଲ୍ମ ଅଫର୍ । ୯୦ରୁ ଅଧିକ ଓଡ଼ିଆ ଫିଲ୍ମ ସହ ୧୫ଟି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି । ଯାତ୍ରାରେ ମଧ୍ୟ ବେଶ ଲୋକପ୍ରିୟ ଥିଲେ ରାଇମୋହନ । ବିଶେଷ କରି ଖଳନାୟ ଭୂମିକାରେ ତାଙ୍କ ଡାଏଲଗ୍ - ‘ଏ ଅନାନି’ ଦର୍ଶକ ଭୁଲିବେ ନାହିଁ । ମଞ୍ଚ ନାଟକରୁ ଆରମ୍ଭ କରିଥିବା ଅଭିନୟ କ୍ୟାରିୟରରେ ଶହେରୁ ଅଧିକ ଫିଲ୍ମରେ ଛାପ ଛାଡି ଯାଇଛନ୍ତି ରାଇମୋହନ ।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଉଦୟପୁର ଗାଁରେ ୧୯୬୩ ମସିହାରେ ରାଇମୋହନ ପରିଡ଼ାଙ୍କ ଜନ୍ମ । କରଞ୍ଜିଆ କଲେଜରେ ପାଠପଢ଼ା ଶେଷ ପରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଛାତ୍ର ଥିଲେ । ସେ ଅଭିନୟରେ ତାଲିମ ନେଇଥିଲେ । ରାଇମୋହନଙ୍କର ପତ୍ନୀ ଓ ୨ ଝିଅ ଅଛନ୍ତି । ଜଣେ ଝିଅ ବିବାହ କରିସାରିଥିବା ବେଳେ ସାନ ଝିଅ ଓ ସ୍ତ୍ରୀଙ୍କ ସହ ପ୍ରାଚୀବିହାର ଘରେ ରହୁଥିଲେ ରାଇମୋହନ । ଆତ୍ମହତ୍ୟା ପୂର୍ବରୁ ପରିବାର ପାଇଁ ରାଇମହୋନଙ୍କ ଶେଷ ମେସେଜ ଥିଲା ବାଏ ।
ଅଭିନୟ ପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ରାଇମୋହନଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ନାଟକ, ଯାତ୍ରା ଓ ଚଳଚ୍ଚିତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ । ସେହିପରି ରାଇମୋହନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ବିଟ୍ କରି କହିଛନ୍ତି, ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତରେ ତାଙ୍କର ଜୀବନ ଓ ବିରଳ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରିଥିଲା । ଅଭିନୟ କ୍ଷେତ୍ରରେ ତାଙ୍କ ଦ୍ବାରା ସୃଷ୍ଟି ହୋଇଥିବା ସ୍ଥାନ କେହି ନେଇପାରିବେ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।