ଅର୍ଗସ ବ୍ୟୁରୋ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁରେ ଝାଡ଼ାବାନ୍ତିକୁ ସ୍ଥିତି ଅଣାୟତ୍ତ । ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ଝାଡ଼ାବାନ୍ତି । ଗତ ୫ ଦିନରେ ୬ ଜଣଙ୍କ ପ୍ରାଣ ଗଲାଣି । ଏହାଛଢା କାଶୀପୁର, ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ଅନେକ ଆକ୍ରାନ୍ତ । କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ୬ ଜଣ ଏବଂ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୦ ଜଣଙ୍କ ଚିକିତ୍ସା ଚାଲିଛି । ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ଗାଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ସଂକ୍ରମିତ ଗାଁକୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ମୃ୍ତକଙ୍କ ପରିବାରକୁ ଭେଟିବା ସହ ସ୍ଥିତି ପରଖିଛନ୍ତି । ମେଡିକାଲ ଟିମ୍ ବିଭିନ୍ନ ଗାଁକୁ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି। ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । 3ଟି ମେଡିକାଲ ଦଳ ଗାଁ ଗାଁ ବୁଲୁଛନ୍ତି । ଭୁବନେଶ୍ବରରୁ ସ୍ବାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ ମଧ୍ୟ ପଠାଯାଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
କୋରାପୁଟ ଦଶମନ୍ତପୁର ବ୍ଲକ ସୀମାନ୍ତ ଅଞ୍ଚଳର ଡୁମ୍ବାଗୁଡା ପଞ୍ଚାୟତରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କ ଗାଁରେ ଏବେ ଡ଼ାକ୍ତର ଟିମ୍ ପହଞ୍ଚି ପ୍ରାଥମିକ ଚିକିତ୍ସା ଯୋଗାଇ ଦେଉଛନ୍ତି । ଗତ ଦୁଇ ଦିନ ସମ୍ପୃକ୍ତ ଅଂଚଳରେ ବଢୁଛି ଝାଡ଼ାବାନ୍ତି । ସ୍ବାସ୍ଥ୍ୟ କର୍ମୀ, ଆଶାକର୍ମୀଙ୍କ ପକ୍ଷରୁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି । ଫୁଟା ପାଣି ପିଇବା ସହ ଓଆରଏସ୍ ପିଇବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର ।
ସେପଟେ ବିଧାନସଭାରେ କାଶୀପୁର ଝାଡାବାନ୍ତିକୁ ନେଇ ଝଡ । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୃହରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଉତ୍ତର ରଖିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଯାହାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା । ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ପ୍ରତିବର୍ଷ ବର୍ଷା ଋତୁରେ କାଶୀପୁର ବ୍ଲକର ଉପାନ୍ତ ଅଂଚଳରେ ବ୍ୟାପୁଛି ଝାଡାବାନ୍ତି । ସମୟ ଥାଇ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ନଦେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାର ଆଶଙ୍କା ଦେଖା ଦେଇଛି ।