ଜାଣିଛନ୍ତି ଏଡେବଡ ଦିନଟାରେ ଆମ କାଳିଆ ସାଆନ୍ତର ମୁହଁ ଶୁଖିଯାଇଛି। କାଳ ଶୁକ୍ରବାରର କାଳିମା ଓଡ଼ିଶାର ଛାତି ଉପରେ ଛାଡି ଯାଇଛି ଗଭୀର କ୍ଷତ। ଆମ ଭଳି ଆମ କାଳିଆ ସାଆନ୍ତ ବି ଆଜି ମର୍ମାହତ।
ସ୍ନାନ ମଣ୍ଡପରେ ମଣିମାଙ୍କ ମୁହଁ ସୁଖିଛି। ସତେ ଯେମିତି ଲାଗୁଛି, ଆମ ଦିଅଁଙ୍କ ମନ ଆଉ ଦେହ ଆଦୌ ଭଲନାହିଁ। ଉତ୍ତର ଖୋଜୁ ଖୋଜୁ ଆମେ ଓଡ଼ିଆଏ ପହଞ୍ଚିଲୁ ଆମ ରାଇଜର ଉତ୍ତର ଦିଗରେ। ଲୌହ ଦାନବର ରକ୍ତ ଭୋଜିରେ ଖିନଭିନ୍ ହୋଇଛି ପ୍ରେମର ସହର ବାଲେଶ୍ବର। ଆହତର ବାହୁ ଧରି ଟେକି ନେଲା ବେଳେ ବାହାନଗାର ପ୍ରତିଟି ସହୃଦୟ ମଣିଷର ବାହୁ ହୋଇଛି ରକ୍ତ ରଞ୍ଜିତ।
ରକ୍ତ କଥା ଭାବୁ ଭାବୁ ଟିଭିରେ ଚମକେଇ ଗୋଟାଏ ଖବର। ସ୍ନାନ ବେଦୀରେ ପଡିଛି ରକ୍ତର ଛିଟା। ହେଲେ ଆହତର ପରିଚୟ ଏବେ ବି ମିଳିନି।
କି ସଂଯୋଗ ମଣିମା, ଓଡ଼ିଶାର ଏ ମହାବିପତ୍ତିକୁ ତୁମ ମହାଭୁଜ କ'ଣ ବଳେଇ ଯିବ। ଯିଏ ଗଲା ତାଙ୍କୁ ଶ୍ରୀଅଙ୍ଗରେ ସ୍ଥାନ ଦିଏ। ଯିଏ କଷ୍ଟ ପାଉଛି, ତୁମ ଆଶିଷ ଚନ୍ଦନ ପ୍ରଲେପରେ ତା ଅଙ୍ଗ ସୁସ୍ଥ କରିଦିଅ। କାଳିଆ ସୁନା ବିରସମନା ହେଲେ ଆଖିକୁ ଭଲ ଦିଶୁନି। ଟିକେ ହସିଦିଅ ପ୍ରଭୁ, ଶୃଙ୍ଖଳିତ ହେଇଯାଉ ମଣିଷର ଜୀବନ, ତୁମ ପ୍ରେମର ଆବେଗରେ ଆନନ୍ଦିତ ହେଉ ସଂସାର। ଭୋଗଭାଗ୍ୟମୟ ହେଉ ଜୀବନ ଚଳଣୀ। ପ୍ରେମରେ ପ୍ଲାବିତ ହେଉ ଧରା। ଆମକୁ ଏତେ ରାଗ କାଇଁ ଯେ, ଆମେ ପରା ଯୁଗ ଯୁଗ, କାଳ କାଳାନ୍ତରକୁ ତୁମର...।