ଏଠି ହଜିଯାଇଛି ମାନବିକତା। ପର ଘରେ ମୁଠାଏ ଭାତ କ’ଣ ଖାଇଥିଲା ବୋଲି ତା ଶବ ବି ଅଛୁଆଁ ହୋଇପଡିଛି। ଗାଁ ସ୍ତ୍ରୀ ଲୋକେ ଏକାଠି ହୋଇ ଏଠି ତମାସା ଦେଖୁଛନ୍ତି। ମଶାଣୀ ଭୂଇଁରେ ଧୂପକାଠି ଜାଳିବେ ବୋଲି ଧୂପ ପ୍ୟାକେଟଟାକୁ ଶବ ଉପରକୁ ଫିଙ୍ଗୁଛନ୍ତି। ହେଇ ଦେଖନ୍ତୁ କେମିତି ଲେଉଟି ପଡୁଛି ଶବ।
ଏ ଦୃଶ୍ୟ ଦେଖି, ନିଜକୁ ଚିମୁଟି ଦେବାକୁ ଇଚ୍ଛା ହେଉଛି। ପ୍ରକୃତିସ୍ଥ ହୋଇ, ନିଜକୁ ନିଜେ ପ୍ରଶ୍ନ କରିବାକୁ ଇଚ୍ଛା ହେଉଛି। ଆମେ ସବୁ ସଭ୍ୟ ସମାଜରେ ବଞ୍ଚୁଛେ ତ ?
ଦୃଶ୍ୟ ଆମ ଓଡ଼ିଶାର। ଆମ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗିମଠ ଗ୍ରାମର।। ଏଠି ଛୁଆଁ ଅଛୁଆଁ ଆଗରେ ମାନବିକତାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ବୃଦ୍ଧା ମୁକ୍ତା ପରଜା।
ତାଙ୍କ ମୃତ୍ୟୁ ପରେ ଚାରି କାନ୍ଧ ଦେଲେନି ସାହିଭାଇ। ଶେଷରେ ମାଆର ଶବକୁ ଘୋଷାଡି ଘୋଷାଡି ଶ୍ମଶାନ ନେଲା ପୁଅ।
ଜାଣିଛନ୍ତି କାରଣଟା କ’ଣ ?
୬ ମାସ ତଳେ ମୁକ୍ତାଙ୍କ ପୁଅ ମଙ୍ଗଳା ପରଜାଙ୍କ ଜାତି ଯାଇଥିଲା। ଅନ୍ୟ ଜାତିର ଜଣେ ବନ୍ଧୁଙ୍କ ଘରେ ସେ କ’ଣ ଦିଟା ଖାଇ ଦେଇଥିଲେ। ଫଳରେ ଗ୍ରାମବାସୀ ପୂରା ପରିବାରକୁ ବାସନ୍ଦ କଲେ । ଭୋଜି ଭାତ, ସଭା ସମିତି, କୋଉଠି ବି ସାମିଲ ହେବାକୁ ଅନୁମତି ନ ଥିଲା ସେମାନଙ୍କୁ।
ଆଉ ଶେଷରେ ସେଇ ସାହିଭାଇ ନିଜ ବଡ଼ ପଣିଆ ଦେଖାଇଦେଲେ। ମଙ୍ଗଳାଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ କେହି ବି ଛୁଇଁଲେ ନାହିଁ। ଉପାୟଶୂନ୍ୟ ମଙ୍ଗଳା ମା’ର କୋକେଇ ଘୋଷାଡି ନେଲେ ମଶାଣୀ ପର୍ଯ୍ୟନ୍ତ…।
ଓଡିଶା ଖବର ଆହୁରି ପଢ଼ନ୍ତୁ ।