ଅଧିକ ପଢ଼ନ୍ତୁ:ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ପଖାଳ
ତେବେ ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମଣୋହି ହେଉଥିବା ଏହି ପଖାଳର ଅନେକ ନାଁ ରହିଛି । ସାଧାରଣରେ ଲୋକମାନେ ଦିନରେ ଏବଂ ରାତିରେ ମଧ୍ୟ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଶ୍ରୀମନ୍ଦିରରେ ମହାପ୍ରଭୁ କେବଳ ସନ୍ଧ୍ୟାଧୂପରେ ହିଁ ସ୍ୱତନ୍ତ୍ର ପଖାଳ ଭୋଗ ଗ୍ରହଣ କରିଥାନ୍ତି । ଆସନ୍ତୁ ଜାଣିବା ପ୍ରଥମେ ମହାପ୍ରଭୁଙ୍କର ଏହି ସ୍ୱତନ୍ତ୍ର ପଖାଳ ସବୁ କଣ ଏବଂ ଏହି କଣ ରହିଛି ଏହି ପଖାଳର ସ୍ୱତନ୍ତ୍ରତା ।
ଆହୁରି ପଢ଼ନ୍ତୁ:ଆଜି ବିଶ୍ବ ପଖାଳ ଦିବସ
ସୁବାସ ପଖାଳ : ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇ ସାରିବା ପରେ ସେଥିରେ ପାଣି ମିଶିଥାଏ । ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷା ଯାଏ । ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ ।
ଚୁପୁଡା ପଖାଳ: ରନ୍ଧା ହୋଇଥିବା ଅନ୍ନକୁ ପ୍ରଥମେ ଭଲ ଭାବେ ଚିପୁଡି ଦିଆଯାଏ । ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟି ପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ । ଅନ୍ନକୁ ଚିପୁଡା ଯାଇ ଥିବାରୁ ଏହାକୁ ଚୁପୁଡା ପଖାଳ କୁହାଯାଏ ।
ପାଣି ପଖାଳ : ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ । ଏଥିରେ ଅନ୍ୟ କୌଣସି ପ୍ରକାରର ଦ୍ରବ୍ୟ ମିଶ୍ରଣ କରାଯାଇ ନଥାଏ । ଯାହାକି ହେଉଛି ପ୍ରତ୍ୟେକ ଓଡ଼ିଆ ଘରର ସାଧାରଣ ଖାଦ୍ୟ ।
ଦହି ପଖାଳ: ଶୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ । ଏଥିରେ ଦହିର ମାତ୍ରା ଅଧିକ ଥାଏ ଏବଂ ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପକାଇ ପ୍ରସ୍ତୁତ କରାଯାଇଥାଏ ଦହି ପଖାଳ ।
ମିଠା ପଖାଳ : ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପକାଇ ରନ୍ଧାଯାଇଥାଏ ମିଠା ପଖାଳ । ପୁଣି ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ ।
ମଲ୍ଲିଫୁଲ ପଖାଳ : ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ କିନ୍ତୁ ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ ।
ଟଭା ପଖାଳ : ସାଧାଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ । ଏଠାରେ ମଲ୍ଲୀଫୁଲ ପଖାଳ ପରି ହିଁ ଏହି ପଖାଳର ପ୍ରସ୍ତୁତି ମଧ୍ୟ ସମାନ । ସୁବାସ ପଖାଳ ସହ ସମାନ ଥାଏ ଟଭା ପଖାଳ ।