ବାତ୍ୟାର ସଫଳ ମୁକାବିଲା ପରେ ଏବେ ସରକାରଙ୍କ ଲକ୍ଷ୍ୟ ଲୋକଙ୍କୁ ସମୟବଦ୍ଧ ସହାୟତା ଯୋଗାଇବା। ପବନରେ ଗଛ ପଡ଼ିଥିବା ପ୍ରାୟ ସବୁ ସ୍ଥାନରେ ରାସ୍ତାରୁ ଅବରୋଧ ହଟାଯାଇ ଗମନାଗମନ ସ୍ବାଭିବିକ ହୋଇଛି। ପବନ ଓ ବର୍ଷାରେ 42 ଲକ୍ଷ 43 ହଜାର ଘରକୁ ବିଜୁଳି ସଂଯୋଗ ବାଧାପ୍ରାପ୍ତ ହୋଇଥିଲା। 25 ଲକ୍ଷରୁ ଅଧିକ ଲୋକଙ୍କୁ ବିଜୁଳି ସଂଯୋଗ ସରିଛି । ଆଜି ରାତି ସୁଦ୍ଧା ଶତ ପ୍ରତିଶତ ବିଜୁଳି ସଂଯୋଗ ହେବ । ପ୍ରାରମ୍ଭିକ ଆକଳନ ଅନୁସାରେ 1 ଲକ୍ଷ 99 ହଜାର 177 ଏକର ଚାଷ ଜମିରେ ଫସଲ ପ୍ରଭାବିତ ହୋଇଛି । ପ୍ରଭାବିତ ଲୋକଙ୍କ ପାଇଁ 7 ଦିନ ଯାଏଁ ରିଲିଫ ସେଣ୍ଟରରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର ।
ଖରାପ ପାଗ ଯୋଗୁଁ ଆଜି ପ୍ରସ୍ତାବିତ ପ୍ରଭାବିତ ଅଂଚଳକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସ୍ଥଗିତ ରହିଛି । କିନ୍ତୁ ଭୁବନେଶ୍ବରରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ଷୟକ୍ଷତିର ଆକଳନ ପାଇଁ ନିଖୁଣ ସର୍ଭେ କରିବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଓ 4 ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି। ଘର ଭାଙ୍ଗିଥିବା ଲୋକଙ୍କୁ 15 ଦିନ ଭିତରେ ଘର ଯୋଗାଣର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ଭେ ପାଇଁ କେନ୍ଦ୍ରୀୟ ଟିମ୍ ମଧ୍ୟ ଆସିବେ। ୭ଦିନ ଭିତରେ କେନ୍ଦ୍ରକୁ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ପଠାଯିବ।
ଲୋକଙ୍କୁ ସହାୟତା, କ୍ଷତିପୂରଣ ଯୋଗାଣରେ କୌଣସି ଅବହେଳା ନ କରିବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସରକାର। କାର୍ଯ୍ୟରେ ଅବହେଳା ପାଇଁ 3 ଜଣ ପିଇଓ ଏବଂ ଜଣେ ଆରଆଇଙ୍କୁ ନିଲମ୍ବନ କରାଯାଇଛି । ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେଉଁମାନେ ଖିଲାଫ କରୁଛନ୍ତି ସେମାନଙ୍କୁ କ୍ଷମା ନାହିଁ। ଭଲ କାମ ପାଇଁ ମଧ୍ୟ ପୁରସ୍କୃତ କରାଯିବ।