ମଧ୍ୟାହ୍ନ ଭୋଜନ ନମିଳୁଥିବାରୁ ଉପାସରେ ଛାତ୍ରଛାତ୍ରୀ ଘରକୁ ଫେରୁଛନ୍ତି । ମାସାଧିକ କାଳ ଏଭଳି ସମସ୍ୟା ଭୋଗୁଛନ୍ତି ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀ ଘରକୁ ଖାଇବା ପାଇଁ ଯାଉଥିବାରୁ ପାଠ ପଢ଼ା ବ୍ୟାଘାତ ହେଉଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଭିଭାବକ ।
ସୂଚନା ମୁତାବକ ବିଂଝାରପୁର ବ୍ଲକରେ ୧୮୫ ଟି ବିଦ୍ୟାଳୟର ୧୮ ହଜାର ୯୪୩ ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି । ମଧ୍ୟାହ୍ନଭୋଜନ ବ୍ଲକର ଅଧିକାଂଶ ସ୍କୁଲରେ ବନ୍ଦ ରହିଥିବାରୁ ପିଲାଙ୍କ ପାଠ ପଡିବାରେ ବାଧା ସୃଷ୍ଟି ହେଉଛି । ସରକାରଙ୍କ ପକ୍ଷରୁ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ଅନେକ ଯୋଜନା କରାଯାଉଥିବା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ସରକାର କାହିଁକି ଗୁରୁତ୍ୱ ଦେଉନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି ।
ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁପଂଳ ମିଳିପାରିନାହିଁ । ଏପରିକି ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ମଧ୍ୟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏଠାରେ କାହିଁକି ବ୍ୟତିକ୍ରମ ଦେଖାଦେଉଛି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏନେଇ ତଦନ୍ତ ହେବାର ଆବଶ୍ୟକତା ରହିଛି ।