ବାଲେଶ୍ୱର ରାଜନୈତିକ ଅଖାଡାରେ ଏବେ ସାମ୍ନାସାମ୍ନି ଦୁଇ ନେତା । ଦିନ ଥିଲା ବିଜେପି ପାଇଁ ଏକାଠି ପ୍ରଚାର କରୁଥିବା ଷଡଙ୍ଗୀ ଏବଂ ଲେଖାଶ୍ରୀ ଏବେ ପାଲଟିଛନ୍ତି ଦୁଇ ରାଜନୈତିକ ବିରୋଧୀ ନେତା । ସେପଟେ ବିଜେପିରୁ ପ୍ରତାପ ଷଡଙ୍ଗୀ ଓ ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ପ୍ରତାପ ଷଡଙ୍ଗୀ ନିଜ ରଣନୀତି ଆରମ୍ଭ କରିଥିବା ବେଳେ ବିଭିନ୍ନ ସ୍ଥାନରେ ବୁଲି ବୁଲି କରୁଛନ୍ତି ପ୍ରଚାର । ତା ସହିତ ମିଶ୍ରଣ ପର୍ବ କରି ଶକ୍ତି ଗୋଟାଉଛନ୍ତି ପ୍ରତାପ ।
ସେପଟେ କ୍ଷୀରଚେରା ମନ୍ଦିରରୁ ପୂଜା କରି ପ୍ରଚାର ଆରମ୍ଭ କରିଛନ୍ତି ଲେଖାଶ୍ରୀ । ଦିନେ ପ୍ରତାପଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଆଜି ବିପକ୍ଷରେ କରୁଛନ୍ତି ପ୍ରତିନ୍ଦ୍ୱନ୍ଦିତା । ବିଜେଡି ଓ ବିଜେପି ଭଳି କଂଗ୍ରେସ ପାଇଁ ଶ୍ରୀକାନ୍ତ ଜେନାଙ୍କ ନାଁ ଘୋଷଣା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀକାନ୍ତ ପୂର୍ବରୁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିବା ବେଳେ ଏବେ ସେହି ମୁଦ୍ଦା ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ।
ତେବେ ପାଖେଇ ଆସୁଛି ନିର୍ବାଚନ । ନେତା ମାନେ କିଭଳି ଭୋଟରଙ୍କ ସମର୍ଥନ ହାତେଇବେ ସେନେଇ ଜୋରଦାର ପ୍ରୟାସ ଚଳାଇଛନ୍ତି । ସେପଟେ ଭୋଟର କାହାକୁ ଭୋଟ୍ ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।