୬ ବର୍ଷ ପରେ ଠିକା ଚାକିରୀକୁ ମୂଳ ଚାକିରୀରେ ଗଣନା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପୁରୁଣା ପେନସନର ପୁନଃ ପ୍ରଚଳନ ଦାବି ନେଇ ଏକାଠି ହୋଇଛନ୍ତି ହଜାର ହଜାର ଶିକ୍ଷକ । ନ୍ୟାର୍ଯ୍ୟ ହକ ଦାବିରେ ସପ୍ତାହେ ହେଲାଣି ଅହୋରାତ୍ର ଧାରଣାରେ ବସିଛନ୍ତି ଅଲ ଓଡ଼ିଶା ଅଙ୍ଗନବାଡି କର୍ମଚାରୀ ସଂଘର କର୍ମଚାରୀ।
ସମାନ କାମକୁ ସମାନ ଦରମା ସହ , ଆନ୍ଦୋଳନରେ ବସିଥିବା ସମୟରେ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସହ ମାସିକ ପେନସନ ଆଦି ୮ଦଫା ଦାବିରେ ଆନ୍ଦୋଳନରେ ବସିଛନ୍ତି ଅଙ୍ଗନବାଡି କର୍ମୀ । ସେହିପରି ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଅମଲା ସଂଘ ।
ଲୋୟର ପିଏମଜିରେ ଶହ ଶହ ସଂଖ୍ୟାରେ କର୍ମଚାରୀ ଏକାଠି ହୋଇ ଦେଇଛନ୍ତି ସରକାର ବିରୋଧୀ ନାରା। 57 ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମୁହଁରେ ସରକାର ହସ ଫୁଟାଇ ବାହାବା ନେବାର ଦିନ କେଇଟା ପରେ ଅସ୍ଥାୟୀଙ୍କ କର୍ମଚାରୀ ଭିତରେ ଜଳୁଛି ଅସନ୍ତୋଷର ବହ୍ନି । ଧୁଳିସାତ ହୋଇଛି ହଜାର ହଜାର ଅସ୍ଥାୟୀ କର୍ମଚାରୀଙ୍କ ଆଶା । ସରକାରଙ୍କ ଅବିଚାରକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ... ବିକ୍ଷୋଭ.. ପ୍ରତିବାଦ । ସମସ୍ତଙ୍କର ସେହି ଗୋଟିଏ ପ୍ରଶ୍ନ, ଆମ ଦାବି ପୂରଣ ହେବ କେବେ ?