ଏଇ ଯେମିତି ଅନୁଗୁଳର ଟିକଟ ଘୋଷଣା ବିଳମ୍ବ ହେବାରୁ ଭୁବନେଶ୍ୱର ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି ଅନୁଗୁଳର ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ । ଟିକେଟ ଘୋଷଣା କାହିଁକି ବିଳମ୍ବ ହେଉଛି ପଚାରିବା ସହ, ନିଜ ସମର୍ଥକଙ୍କୁ ଧରି ଆସି ପତିଆରା ଦେଖାଇଛନ୍ତି । ଖାଲି ଅନୁଗୁଳ କାହିଁକି ? ବରଂ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ତାଳଚେର, ହିନ୍ଦୋଳ, ଅନୁଗୁଳ, ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ । କୁହାଯାଉଛି କିଛି ଆସନରେ ଦଳ ଅଦଳବଦଳ କରିପାରେ । ଅନୁଗୁଳ ଭଳି କେନ୍ଦୁଝର ତେଲକୋଇରେ ସମାନ ଅବସ୍ଥା । ତେଲକୋଇରେ ପ୍ରେମାନନ୍ଦ ଦଳ ଛାଡିବା ପରେ ବିଜେଡି ସେଠି କାହାକୁ ପ୍ରାର୍ଥୀ କରିବ ସେ ନେଇ ଜାରି ରହିଛି ଅଙ୍କକଷା ।
ଶାସକଦଳ ବିଜେଡିକୁ ଏବେ ଟିକଟ ଟେନସନ । କେମିତି କାହାକୁ ପ୍ରାର୍ଥୀ କରିବ ଦଳ ସେନେଇ ନବୀନ ନିବାସରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୦ରୁ ୧୨ଟି ବିଧାନସଭା ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ହିସାବ କିତାବ ଏବେ ବି ଚାଲିଛି । ଯାହାଫଳରେ ନୂଆ ପ୍ରାର୍ଥୀ ତାଲିକା ଆସିବା ବିଳମ୍ବ ହେଉଥିବା କୁହାଯାଉଛି । ତେବେ ଶାସକ ଦଳର ନେତାଙ୍କ କହିବା କଥା ଠିକ୍ ସମୟରେ ଟିକେଟ ଘୋଷଣା ହେବ ।