ଭୁବନେଶ୍ୱର: ନାମାଙ୍କନ ପାଇଁ ବିଭିନ୍ନ ରାଜନୈତିକ ଦଳର ବଡ଼ ସୋ । ବିରାଟ ପଟୁଆରେ ଯାଇ ନାମାଙ୍କନ ଭରିଛନ୍ତି ଅଗସ୍ତି ବେହେରା, ପ୍ରତାପ ପ୍ରଧାନ, ରୁଦ୍ର ପାଣି ଓ କାଳନ୍ଦୀ ସାମଲ । ନାମାଙ୍କନ ପର୍ବରେ ସାମିଲ୍ ହୋଇ ପରିବର୍ତ୍ତନ ପାଇଁ ଜନସମର୍ଥନ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, `ଲୋକଙ୍କ ଉତ୍ସାହ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଭରସା ଓ ବିଶ୍ବାସର ସଙ୍କେତ' ।
ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ନାମାଙ୍କନର ଆଜି ଶେଷ ଦିନ । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜ ଦଳୀୟ କର୍ମୀଙ୍କ ସହ ଯାଇ ନାମାଙ୍କନ ଭରିଛନ୍ତି । ବିରାଟ ପଟୁଆରାରେ ବାହାରି ଛେଣ୍ଡିପଦାରୁ ଅଗସ୍ତି ବେହେରା ଓ ଅନୁଗୁଳରୁ ପ୍ରତାପ ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ଢେଙ୍କାନାଳରେ ଲୋକସଭାର ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ବିଶାଳ ରାଲି କରି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେପି ହେଭିଓ୍ବେଟଙ୍କ ନାମାଙ୍କନ ପର୍ବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ସୁରକ୍ଷା ପାଇଁ ଜନ ସମର୍ଥନ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ତାଳଚେର ବିଧାନସଭା ବିଜେପି ପ୍ରାର୍ଥୀ କାଳନ୍ଦୀ ସାମଲ କାର୍ଯ୍ୟକର୍ତ୍ତାଙ୍କ ସହ ଆସି ନୋମିନେସନ୍ ଫାଇଲ୍ କରିଛନ୍ତି ।
ସେପଟେ କଟକର ଲୋକସଭା ପ୍ରାର୍ଥୀ ଭତ୍ତୃହରି ମହତାବ ଓ ବଡ଼ମ୍ବା ବିଜେପି ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ମଧ୍ୟ ନିଜ ସମର୍ଥକଙ୍କ ସହ ଆସି ନାମାଙ୍କନ ଭରିଛନ୍ତି । ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ପାଟଣାଗଡରୁ ବିଜେପି ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ, ସତ୍ୟବାଦୀରୁ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର, ଜି.ଉଦୟଗିରି ବିଜେପି ବିଧାୟକ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନାମାଙ୍କନ ଭରିଛନ୍ତି । ଅନ୍ୟପଟେ ବିଜେଡିରୁ ପିପିଲିରେ ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଲୋଇସିଂହାରେ ନିହାର ରଞ୍ଜନ ବେହେରା, ପାଳଲହଡାରୁ ମୁକେଶ କୁମାର ପାଳ ଓ କୁଚିଣ୍ଡାରୁ ରାଜେନ୍ଦ୍ର କୁମାର ଛତ୍ରିଆ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ଖଣ୍ଡପଡ଼ାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ବିଜେଡ଼ି ଛାଡ଼ିଥିବା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଦଶପଲ୍ଲା ପାଇଁ ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ର ସେଠୀ ଓ ନୟାଗଡ଼ ପାଇଁ ରଣଜିତ ଦାଶ କଂଗ୍ରେସରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପାଖେଇ ଆସୁଛି ନିର୍ବାଚନ । ସରଗରମ ହେଉଛି ମୈଦାନ । ବିଜେପି ସହ ବିଜେଡି ହେଭିୱେଟ୍ ପ୍ରାର୍ଥୀପତ୍ର ଦାଖଲ କରି ଲୋଡିଛନ୍ତି ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ ।
ଅଧିକ ପଢନ୍ତୁ ଓଡ଼ିଶା ଖବର