ହେଲିକପ୍ଟରରେ ଫ୍ଲାଗ ଫରମେସନ ହେଉ ଗଭୀର ସମୁଦ୍ରରେ ଅବତରଣ କରି ରେସ୍କୁ ଅପରେସନର ଚୋମାଞ୍ଚକର ଦୃଶ୍ୟ। ନୌସେନା ଯବାନଙ୍କ ସ୍ୱତନ୍ତ୍ର ବ୍ୟାଣ୍ଡ ଡ୍ରିଲ ସହ କଣ୍ଟିନ୍ୟୁଟି ଡ୍ରିଲ୍, ଆକାଶ ମାର୍ଗରୁ ପାରା ଜମ୍ପିଂ କରି ମାର୍କସ କମାଣ୍ଡୋ ବାହିନୀ ଓଲ୍ଲାଇବା ବେଶ୍ ଲୋମ ହର୍ଷକ । ସମୁଦ୍ର ଭିତରେ ଥିବା ଯୁଦ୍ଧ ଜାହାଜ ସହ ଆଖି ଝଲସାଇ ଦେଉଛି ଆକାଶ ମାର୍ଗରେ ଯୁଦ୍ଧ ବିମାନର ଯୁଦ୍ଧ କୌଶଳ। ଭିନ୍ନ ଭିନ୍ନ ୨୦ପ୍ରକାରର ଯୁଦ୍ଧ କୌଶଳ ଓ ପରାକ୍ରମ ପ୍ରଦର୍ଶନ କରୁଛନ୍ତି ଭାରତୀୟ ନୌବୀର।
ନୌସେନା ଦିବସ ସମାରୋହରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଉଛି। ଯୁଦ୍ଧ କୌଶଳ ପ୍ରଦର୍ଶନୀ ଦେଖିବା ପାଇଁ ପ୍ରବଳ ଜନ ସମାଗମକୁ ନଜରରେ ରଖି ୨୦ଟି ଅତିରିକ୍ତ ସ୍ଥାନରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯାଇଛି । ସୁରକ୍ଷାରେ ୮୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁରୀରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସମୀକ୍ଷା ବୈଠକ ହୋଇଥିବାବେଳେ ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ ଡିଜି ସଂଜୀବ ପଣ୍ଡା। ଆଉ କେଇ ଘଣ୍ଟା ପରେ ଐତିହାସିକ କାର୍ଯ୍ୟକ୍ରମର ସାକ୍ଷୀ ପାଲଟିବ ଶ୍ରୀକ୍ଷେତ୍ର। ଏଥିପାଇଁ ପର୍ଯ୍ୟଟକ ଓ ପୁରୀବାସୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ରୋମାଞ୍ଚ।