ଏହି କ୍ବାର୍ଟରର ସବୁଠୁ ରହସ୍ୟ ମୟ ଅଂଶ ହେଉଛି ବିଳାସପୂର୍ଣ୍ଣ ଭୂତଳ ଭବନ। ଆମେ ପହଞ୍ଚିବା ପୂର୍ବରୁ ଏହାକୁ ଭାଙ୍ଗି ଛିନଭିନ୍ କରିଦିଆଯାଇଥିଲା। ତଥାପି ଏହି ଅଣ୍ଡରଗ୍ରାଉଣ୍ଡ ଘରର ଚାକ୍ୟଚକ୍ୟ ଚିହ୍ନ ସଂପୂର୍ଣ୍ଣ ଲିଭିନଥିଲା। ଏହି ରହସ୍ୟମୟ କ୍ବାର୍ଟର ଆଉ ଏକ ବିଳାସପୂର୍ଣ୍ଣ ଅଂଶ ହେଉଛି ଉଡେନ୍ କଟେଜ୍। ଗଛ ଉପରେ ତିଆରି ସଂପୂର୍ଣ୍ଣ କାଠର ଘର।
ତେବେ ଆଉ ଏକ ବିଲଡିଂର ରହସ୍ୟ ସବୁ ଦିନ ପାଇଁ ରହସ୍ୟ ହୋଇ ରହିଗଲା। ଅର୍ଗସର କ୍ୟାମେରା ପହଞ୍ଚିବା ପୂର୍ବରୁ ଏହି ତିନି ତଳ ବିଶିଷ୍ଟ ଘରକୁ ସଂପୂର୍ଣ୍ଣ ଭାଙ୍ଗିଦିଆଯାଇ ସାରିଥିଲା। କେବଳ ଯାହା ଷ୍ଟ୍ରକଚର ବାକିଥିଲା। ଏହି ଆଲିସାନ କ୍ବାର୍ଟରର ଇଣ୍ଟରିଅର କୌଣସି ପଞ୍ଚତାରକା ହୋଟେଲରୁ କମ୍ ନୁହେଁ। ପ୍ରତ୍ୟେକ କୋଣରେ ମହଙ୍ଗା ଆସବାବପତ୍ର ଏବେ ବି ରହିଛି।
ଆପଣ ଅନୁମାନ କରୁନ୍ତୁ କେତେ ବିଶାଳକାୟ ଥିଲା ଏହି ନିର୍ମାଣ ସବୁ ଯାହାକୁ ନିଶ୍ଚିହ୍ନ କରିବାକୁ ଦିନରାତି ଏକ କରି ଲାଗିଛନ୍ତି 20ରୁ ଅଧିକ ଶ୍ରମିକ ଓ ମେସିନ୍। ପ୍ରଥମେ ପ୍ରଥମେ ଆମ କ୍ୟାମେରାକୁ ଦେଖି କେତେକ ଶ୍ରମିକ ଦୌଡ଼ି ପଳାଇଥିଲେ ଆଉ ଆମେ ପିଛା କରିବାରୁ ଲୁଚିଯିବାକୁ ଚେଷ୍ଟା କରିଥିଲେ।
ଭାଙ୍ଗିବାକାମରେ ନିୟୋଜିତ ଶ୍ରମିକମାନଙ୍କୁ ବି ଏପରି ତାଲିମ୍ ଦିଆଯାଇଛି ଯେ କେହି କିଛି କ୍ୟାମେରା ଆଗରେ ମୁହଁ ଖୋଲିଲେ ନାହିଁ। ଆମେ ବବି ଦାସଙ୍କ ରହସ୍ୟମୟ ସରକାରୀ ବସଭବନ ମଧ୍ୟରେ କୌଣସି ମତେ ପ୍ରବେଶ ତ କରିଗଲୁ କିନ୍ତୁ ବାହାରକୁ ଆସିବା ବେଳକୁ ଗେଟରେ ତାଲା ପଡ଼ିସାରିଥିଲା।
ତେବେ ଯେତିକି କଥା ଆମ କ୍ୟାମେରାରେ କଏଦ ହେଲା ତାହା ସଂପୂର୍ଣ୍ଣ ନୁହେଁ। ଆହୁରି ଅନେକ କିଛି ବିଳାସପୂର୍ଣ୍ଣ ବ୍ୟବସ୍ଥାର ଚିହ୍ନ ବର୍ଣ୍ଣକୁ ଗତ 21 ଦନ ମଧ୍ୟରେ ଲିଭାଇ ଦିଆଯାଇ ସାରିଛି। କୁହାଯାଉଛି ଏଠାରେ ଆଭିଜାତ୍ୟ ପୂର୍ଣ୍ଣ ସୁଇମିଂ ପୁଲ ସାଙ୍ଗକୁ କୃତ୍ରିମ ସ୍ନୋ ଫଲର ପରି ଅନେକ ବିଳାସପୂର୍ଣ୍ଣ ବ୍ୟବସ୍ଥା ଥିଲା। ଏହି ଦୃଶ୍ୟ ଅନେକ ପ୍ରଶ୍ନ ଉଠାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ବିଳାସପୂର୍ଣ୍ଣ ସରକାରୀ ବଙ୍ଗଳାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ବବି ଦାସଙ୍କ ଏହି ଲଗଜରିଅସ କ୍ବାର୍ଟର ଆଗରେ କେଜରୀୱାଲଙ୍କ କ୍ବାର୍ଟର କିଛି ବି ନୁହେଁ। ସେ ତ ଜଣେ ମୁଖ୍ୟମନ୍ତ୍ରୀ। କିନ୍ତୁ ବବି ବାସ ଥିଲେ ଜଣେ ବିଧାୟକ। ବାକି ଯାହା ବିଚାର କରିବେ ଆପଣ।
ଅଧିକ ପଢନ୍ତୁ ଓଡ଼ିଶା ଖବର