ଏନେଇ ପୂର୍ବତନ ବିଧାୟକ ଶ୍ରୀ ଦାସ ମୁହଁ ଖୋଲିନଥିଲେ ହେଁ, ତାଙ୍କର ସମର୍ଥକ ମାନେ ବିଦ୍ରୋହ ଘୋଷଣା କରିଦେଲେଣି। ସେପଟେ ଅନ୍ୟତମ ପ୍ରାର୍ଥୀ ପାଇଁ ଆଶାୟୀ ଥିବା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମର୍ଥକ ବି ଖପ୍ପା। ତେଣୁ ଏପରି ସ୍ଥିତିରେ ଅବନ୍ତୀଙ୍କୁ ପ୍ରାର୍ଥୀ କରି ଏବେ ବିଜେଡି ଅଡୁଆରେ ପଡିଯାଇଛି । ଆଉ ଅସନ୍ତୁଷ୍ଟ ରହିଥିବା ରାଜେନ୍ଦ୍ର ଦାସଙ୍କୁ ମନାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଦଳ। ଦଳର ୫ରୁ 7 ଜଣ ବିଧାୟକଙ୍କୁ ବୁଝାଇବାର ଦାୟିତ୍ୱ ଦିଆଯାଇଛି । ଗୋଟିଏ ପଟେ ପ୍ରାର୍ଥୀ ଚୟନକୁ ନେଇ ଧାମନଗର ବିଜେଡି ଏକପ୍ରକାର ତିନିଫାଳ ହୋଇଯାଇଥିବା ବେଳେ ଅହଙ୍କାର କିନ୍ତୁ ଛାଡୁନାହାନ୍ତି ବିଜୁ ଜନତା ଦଳର ନେତା।
ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ହେବାକୁ ଯାଉଛି ଉପନିର୍ବାଚନ । ସେପଟେ ଉପନିର୍ବାଚନ ଜିତି ଧାମନଗରକୁ ହାତେଇବା ପାଇଁ ବିଜେଡି ଦଳର ମାଳମାଳ ମନ୍ତ୍ରୀ ଓ ବିଧାୟକଙ୍କ ଡେରା ଏବେଠାରୁ ଭଦ୍ରକରେ ପଡିଗଲେଣି। ଧାମ ନଗର ଉପ ନିର୍ବାଚନର ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ବିଜେପି ଓ କଂଗ୍ରେସ ମଧ୍ୟରୁ ତୃତୀୟ ସ୍ଥାନରେ କିଏ ରହିବ ସେ ନେଇ ପ୍ରତିଯୋଗିତା ଚାଲିଛି । ଧାମନଗରବାସୀ ବିଜୁ ଜନତା ଦଳ ସହ ଅଛନ୍ତି । ବିଜୟ ବ୍ୟବଧାନ କେତେ ଅଧିକ ହେବ ସେ ନେଇ ଦଳ କାମ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସବୁ ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି । କାରଣ ବିଜେଡି ଓଡ଼ିଶାବାସୀଙ୍କ ଦଳ । ବାଲେଶ୍ବର ଆସନ ବିଜେପି ଜିତିଥିଲା, ସେଠି ବି ବିଜେଡ଼ିକୁ ଲୋକେ ସମର୍ଥନ କରି ଜିତାଇଲେ । ଧାମନଗରରେ ବି ବିଜେଡିର ଜିତାପଟ ହେବ । ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଏପରି ବକ୍ତବ୍ୟକୁ ନେଇ ବିଜେପି ଓ କଂଗ୍ରେସ କଡା ସମାଲୋଚନା କରିଛନ୍ତି । ସରକାରୀ କଳକୁ ଅପବ୍ୟବହାର କରୁଥିବା ବିଜେଡିର ଏହା ଅହଙ୍କାର ଛଡା ଆଉ କିଛି ନୁହେଁ ବୋଲି ବିରୋଧୀ କହିଛନ୍ତି ।
ସେପଟେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମର୍ଥକ ମାନେ କିନ୍ତୁ ନଛୋଡବନ୍ଦ । ସେମାନଙ୍କ କହିବା କଥା ତାଙ୍କ ସହ ଦଳ ବିଶ୍ୱାସଘାତ କରିଛି । ଏତେଦିନ ଧରି ଦଳରେ କାମ କରିବା ପରେ ଆମର ନେତାଙ୍କୁ ଏହା କଣ ପୁରସ୍କାର ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଧାମନଗର ସମ୍ମାନ ପ୍ରଥମେ ବୋଲି ଶ୍ରୀ ଦାସଙ୍କ ସମର୍ଥକ ମାନେ କହିଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।