ଜୁନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 69 ଥିବା ବେଳେ ଜୁଲାଇରେ ହଠାତ 203କୁ ବୃଦ୍ଧି ପାଇଥିଲା। ଏହା ପରଠାରୁ ଅଗଷ୍ଟ ମାସରେ ସଂଖ୍ୟା ବୃଦ୍ଧି ପାଇ 763ରେ ପହଞ୍ଚି ଥିବାବେଳେ ସେପ୍ଟେମ୍ବର 20ତାରିଖ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ଚିହ୍ନଟ ହେଲେଣି 967ଜଣ ରୋଗୀ।
ଭୁବନେଶ୍ୱରରେ ବିକ୍ଷିପ୍ତ ଭାବେ ଏଡିସ ମଶା କାୟ ବିସ୍ତାର କରିବାରେ ଲାଗିଛି। ତେବେ ମୁଖ୍ୟତଃ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି। ନିଳାଦ୍ରୀବିହାର ଅଞ୍ଚଳରେ ସର୍ବାଧିକ 306ଜଣ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ 212, ସାଲିଆସାହିରୁ 168, ଆଇ ଆର ସି ଭିଲେଜରୁ 146, ୟୁନିଟ 3ରୁ 119 ଓ ଜୟଦେବ ବିହାର ଅଞ୍ଚଳରୁ 76ଜଣ ଚିହ୍ନଟ ହୋଇଛନ୍ତି।
ସରକାରୀ ଭାବେ ଡେଙ୍ଗୁ ଜନିତ ମୃତ୍ୟୁ ନଥିବା ବେଳେ ଖୋର୍ଦ୍ଧା ସମେତ ଦକ୍ଷିଣଓଡ଼ିଶା ଓ ଉପକୂଳ ଜିଲ୍ଲାରେ ମଧ୍ୟ ଡେଙ୍ଗୁର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା କାରଣରୁ ଏଡିସ ମଶାକୁ ବଂଶ ବିସ୍ତାର ପାଇଁ ସହାୟକ ହୋଇଛି।
ଆଗକୁ ପୁଣି ବର୍ଷା ଥିବାରୁ ଏକ ମାସ ପର୍ଯ୍ୟନ୍ତ ଅଧିକ ସଚେତନ ରହିବା ଜରୁରୀ ବୋଲି କୁହାଯାଇଛି। ଭୁବନେଶ୍ୱରରେ ସ୍ଥିତି ସଙ୍ଗିନ ଥିବା ବେଳେ ଏହାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ସାପ୍ତାହିକ ଗୁରୁବାର ଓ ରବିବାର ଦୁଇଦିନ ଡ୍ରାଏ ଡେ ପାଳନ ସହ ପଥପ୍ରାନ୍ତ ନାଟକ ଓ ଶୋଭାଯାତ୍ରା ଜରିଆରେ ଜନ ସଚେତନତା ସୃଷ୍ଟି ଜାରି ରହିଛି। ବର୍ଷା ଆରମ୍ଭ ରୁ ଏସବୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ମଧ୍ୟ ସବୁ କିଛି ଫେଲ ମାରିଥିବା ଦେଖିବାକୁ ମିଳିଛି ।
ବର୍ତ୍ତମାନର ସ୍ଥିତି ଦେଖି ମଶା ବଂଶ ବିସ୍ତାରର ସମ୍ଭାବ୍ୟ ସ୍ଥାନ ଗୁଡିକୁ ଚିହ୍ନଟ କରି ବୁସ କଟିଂ କରାଯାଉଛି। ତେବେ ବର୍ଷା ଓ ପାଣିପାଗ ଯୋଗୁଁ ମଶାଧୂଆଁ ସାମୟିକ ଭାବେ ବାଧାପ୍ରାପ୍ତ ରହିଥିବା ବିଏମସି ପକ୍ଷରୁ କୁହାଯାଇଛି।
ତେବେ ପାଗ ଶୁଖିଲା ହେବା ପରେ ତୁରନ୍ତ ମଶାଧୂଆଁ ଛଡ଼ାଯିବ ବୋଲି ବିଏମସି କମିଶନର କହିଛନ୍ତି। ଆଗକୁ ବର୍ଷା ଥିବାରୁ ଡେଙ୍ଗୁର ପ୍ରକୋପ ବଢିବା ସହିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏଣୁ ଆଗାମୀ ଏକ ମାସ ପର୍ଯ୍ୟନ୍ତ ଆମକୁ ସଚେତନ ଓ ଯତ୍ନବାନ ହେବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।