ବିଜେଡି ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା ହେବା ପରେ ଜଣାପଡିଛି କି, ମାହାଙ୍ଗାରେ ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ଏବଂ ମୟୂରଭଞ୍ଜ ମୋରଡ଼ାରେ ରାଜକିଶୋର ଦାସଙ୍କ ପରିବର୍ତ୍ତେ ପତ୍ନୀ ପ୍ରୀତିଲତା କାନୁନଗୋ ଟିକେଟ୍ ପାଇଛନ୍ତି । ଠିକ୍ ସେହିପରି ଟିକେଟ୍ କଟିଥିବା ଅନ୍ୟ ୫ ବିଧାୟକ ହେଲେ ସୋରର ପର୍ଶୁରାମ ଧଡ଼ା, ଆଠମଲ୍ଲିକର ରମେଶ ସାଏ, ଫୁଲବାଣୀର ଅଙ୍ଗଦ କହଁର, ତିର୍ତ୍ତୋଲର ବିଜୟ ଶଙ୍କର ଦାସ ଓ ପଟ୍ଟାଙ୍ଗୀର ପିତମ୍ ପାଢ଼ୀ । ଏହି ମାନଙ୍କ ଟିକେଟ କାଟିଛି ଦଳ । ତେବେ ଟିକେଟ କଟିଥିବାରୁ ଗତକାଲି ପର୍ଶୁରାମ ଧଡ଼ା ଦଳରୁ ଇସ୍ତଫା ଦେଇଛନ୍ତି ଆଉ କହିଛନ୍ତି ନିର୍ବାଚନ ଅଲବତ ଲଢିବି ।
ବିବାଦ ଯେମିତି ବିଜେଡି ସାଙ୍ଗ ହୋଇ ଚାଲିଛି । କାରଣ ଗତକାଲି ବିଜେଡି ଟିକଟ ଘୋଷଣା କରିବା ପରେ ପରେ ହିଁ ଦଳରୁ ଇସ୍ତଫା ପର୍ବ ଆରମ୍ଭ ହୋଇଯାଇଥିଲା । ଟିକଟ ଆଶାୟୀ ଥିବା ଅସନ୍ତୁଷ୍ଟ ନେତା ସଙ୍ଗେ ସଙ୍ଗେ ବିଜେଡି ସୁପ୍ରିମୋଙ୍କୁ ଦେଇଥିଲେ ଇସ୍ତଫା ପତ୍ର । ମୋଟ୍ ଉପରେ ଆମଦାନୀ ନେତାଙ୍କୁ ବିଜେଡି ଅଗ୍ରାଧିକାର ଦେଉଥିବାରୁ ଛାମୁଆ ନେତା ଏବେ ଅସନ୍ତୋଷ ଜାହିର କରୁଛନ୍ତି । ଏମିତିକି ଆଗାମୀ ନିର୍ବାଚନରେ ଏହି ଭୁଲ ଲାଗି ଦଳ ପରାଜୟ ସ୍ଵୀକାର କରିପାରେ ବୋଲି କହିବାକୁ ପଛାଉନାହାନ୍ତି ନେତା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।