ଦେବାଦେବୀଙ୍କ ଅପୂର୍ବ ମିଳନ। ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ପ୍ରଭୁ ଲିଙ୍ଗରାଜ ଓ ମା ପାର୍ବତୀ । ସେଥିପାଇଁ ଉତ୍ସବମୁଖର ପରିବେଶ, ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ନିଜ ବରଯାତ୍ରୀଙ୍କୁ ଧରି ରାତି 10ଟାରେ କେଦାର ଗୌରୀ ମନ୍ଦିରରେ ପହଞ୍ଚିବେ ପ୍ରଭୁ ଲିଙ୍ଗରାଜ। ନିତିଦିନିଆ ନୀତିକାନ୍ତି ସକାଳ ଧୂପ,ମଙ୍ଗଳ ଆଳତି, ସାହାଣ ମେଲା ଦର୍ଶନ, ସୂର୍ଯ୍ୟ ପୂଜା କାର୍ଯ୍ୟ ସରିଛି । ସମସ୍ତ ଦେବୀ ଦେବତାଙ୍କୁ ନିମନ୍ତ୍ରଣ ବି ଯାଇ ସାରିଛି । ବିଶେଷ କରି ଅଷ୍ଟ ଶମ୍ଭୁ ଓ ଅଷ୍ଟ ଚଣ୍ଡିଙ୍କୁ ମଙ୍ଗଳ କୃତ୍ୟ ଲାଗି ନିମନ୍ତ୍ରଣ କରାଯାଇଥିଲା । ପୁରା ରୀତିନୀତିରେ ଶିବ ବିବାହ ଅନୁଷ୍ଠିତ ହେବ। ଶାନ୍ତି ଶୃଙ୍ଖଳାରେ ଯିବ ପ୍ରସେସନ୍ । ଡିଜେ ସମ୍ପୂର୍ଣ୍ଣ ବାରଣ ରହିଛି। ତେବେ ଲିଙ୍ଗରାଜ ମହାପ୍ରଭୁଙ୍କ ବାହାଘର ଥିବାବେଳେ ମନ୍ଦିରରେ ସାଜସଜ୍ଜା କିଛି ନଥିବା ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଏପଟେ କନ୍ୟା ପକ୍ଷରେ ବି ଜୋରସୋରରେ ପ୍ରସ୍ତୁତି। ସୁସଜ୍ଜିତ ହୋଇଛନ୍ତି ମା ଗୌରୀ । ମନ୍ଦିର ଏକ ସାଧବ ବୋହୂ ପରି ସଜେଇ ହୋଇଛି । ଚାରିଆଡେ ଆଲୋକମାଳା ଓ ଫୁଲ ସମ୍ଭାର । କେଦାର ଗୌରୀ ମନ୍ଦିର କନ୍ୟାପକ୍ଷ ଥିବାରୁ ବର ଓ ବରଯାତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଚାହିଁ ବସିଛନ୍ତି । ପ୍ରଭୁ ଲିଙ୍ଗରାଜ ବରଯାତ୍ରୀଙ୍କୁ ଧରି ପହଞ୍ଚିବା ପରେ ୪ଟି ବରଣୀ କରାଯିବ । ରାତିରେ ବିଭା କାର୍ଯ୍ୟ ସମ୍ପନ୍ନ ହେବ । ବର ପକ୍ଷଙ୍କ ପାଇଁ କେଦାର ଗୌରୀ ମନ୍ଦିର ପକ୍ଷରୁ ବ୍ରାହ୍ମଣ ଭୋଜିର ଆୟୋଜନ ହୋଇଛି । ଆଉ କାଲି ମହାପ୍ରଭୁଙ୍କ ବିବାହ ଭୋଜି । ୧୫ ହଜାର ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା ହୋଇଥିବା କହିଛନ୍ତି କନ୍ୟା ପକ୍ଷ। ।
ତେବେ ଶିବ ବିବାହ ଦିନ ଲିଙ୍ଗରାଜଙ୍କ ସହ ବାସୁଦେବ ଓ କପିଳେଶ୍ଵରଙ୍କ ଯିବାର ପରମ୍ପରା ରହିଛି। ହେଲେ ବିଭ୍ରାଟ ଯୋଗୁଁ କପିଳେଶ୍ଵର ଶିବ ବିବାହରେ ଦୀର୍ଘ ୮ ବର୍ଷ ଧରି ଯୋଗ ଦେଉନଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର