ଏବେ କାନାଡାରେ ଖଲିସ୍ତାନୀ ସମର୍ଥକ ମାନେ ଅପରେସନ ବ୍ଲୁ ଷ୍ଟାର ଘଟଣାର ବର୍ଷ ପୂରଣ ଅବସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ସମ୍ପର୍କିତ ଏକ ପ୍ରଜ୍ଞାପନ ମେଢ ବାହାର କରିଥିଲେ । ଏହି ପ୍ରଜ୍ଞାପନ ମେଢରେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିବା ଦୃଶ୍ୟକୁ ଦେଖା ଯାଇଥିଲା। ତେବେ କାନାଡାରେ ଏଭଳି ପ୍ରଜ୍ଞାପନ ମେଢ ବାହାର କରାଯିବାକୁ ଭାରତ ପକ୍ଷରୁ ଏହାକୁ କଡା ବିରୋଧ କରାଯାଇଛି । ଭାରତର ବିରୋଧ ପରେ କାନାଡାର ରାଷ୍ଟ୍ରଦୂତ କହିଛନ୍ତି ଯେ କାନାଡାରେ ଘୃଣା ଓ ହିଂସାର କୌଣସି ସ୍ଥାନ ନାହିଁ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ପଂଜାବରେ ଅମୃତସର ସ୍ଥିତ ସ୍ୱର୍ଣ ମନ୍ଦିରରେ ଲୁଚି ରହିଥିବା ଆତଙ୍କବାଦୀ ଜରନୈଲ ଭିଣ୍ଡରେୱାଲା ବିରୁଦ୍ଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଅପରେସନ କରିବାକୁ ନିର୍ଦେଶ ଦେଇଥିଲେ । ଏହି ନିର୍ଦେଶ ପରେ ସେନା 1984 ମସିହା ଜୁନ ମାସରେ ଅପରେସନ ବ୍ଲୁ ଷ୍ଟାର ଚଳାଇଥିଲା । ଏହି ଘଟଣାର ପାଂଚ ମାସ ପରେ 1984 ମସିହା ଅକ୍ଟୋବର 31 ତାରିଖ ଦିନ ତାଙ୍କର ଅଙ୍ଗରକ୍ଷକ ମାନେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରି ଦେଇଥିଲେ ।
କାନାଡାର ବୈମ୍ପଟନ ସହରରେ ଏହି ପ୍ରଜ୍ଞାପନ ମେଢ ବାହାର କରାଯାଇଥିଲା। ଖଲିସ୍ତାନୀ ସମର୍ଥକ ମାନେ ଅପରେସନ ବ୍ଲୁ ଷ୍ଟାରର ବର୍ଷ ପୂର୍ତି ଅବସରରେ ପ୍ରଜ୍ଞାପନ ମେଢ ବାହାର କରିଥିଲେ। ସେଥିରେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଉଥିବା ଦର୍ଶାଯାଇଥିଲା ।
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓକୁ କଂଗ୍ରେସର ବରିଷ୍ଠ ନେତା ମିଲିନ୍ଦ ଦେଓଡା ଟ୍ୱିଟ କରି କାନାଡା ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଏହି ଭିଡିଓ ସାମନାକୁ ଆସିବା ପରେ ଲୋକ ମାନେ ସୋସିଆଲ ମିଡିଆରେ କଡା ପ୍ରତିକ୍ରିୟା ଦେଇଛନ୍ତି ।
ଅନ୍ୟ ପକ୍ଷରେ ଭାରତ ସରକାର ବିଦେଶ ମନ୍ତ୍ରଣାଳୟ ମଧ୍ୟ କାନାଡାକୁ କଡା ଶବ୍ଦରେ ବାର୍ତା ଦେଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ କାନାଡାରେ ଏଭଳି ଘଟଣା ଉଭୟ ଦେଶ ପାଇଁ ଠିକ ନୁହେଁ । କାନାଡାର ଭୂମିର ବ୍ୟବହାର ଭାରତ ବିରୋଧ ପାଇଁ ଆଦୌ ହେବା ଉଚିତ ନୁହେଁ ।
ଜୟଶଙ୍କର କହିଛନ୍ତି – ମୁଁ ଭାବୁଛି ଏଥରେ ଏକ ବଡ ପ୍ରସଙ୍ଗ ସାମିଲ ଅଛି । ଆମକୁ ଭୋଟ ବ୍ୟାଙ୍କ ରାଜନୀତିରୁ ଉପରକୁ ଉଠିବାକୁ ପଡିବ । କଣ କାନାଡା ନିଜର ଭୂମିର ବ୍ୟବହାର ବିଛିନ୍ନତାବାଦୀ, ଚରମପନ୍ଥୀ ଓ ହିଂସାକୁ ପ୍ରୋତ୍ସାହନ ଦେଉଥିବା କାର୍ଯ୍ୟକଳାପ ପାଇଁ ଦେଉଛି, ଏହା ବଡ ପ୍ରସଙ୍ଗ । ମୁଁ ଭାବୁଛି ଏହା ଉଭୟ ଦେଶର ସମ୍ପର୍କ ପାଇଁ ଆଦୌ ଠିକ ନୁହେଁ। ବିଶେଷ ଭାବେ କାନାଡା ପାଇଁ ତ ଆଦୌ ଠିକ ନୁହେଁ ।