ଦୁଇ ବର୍ଷ ପରେ ଦୁର୍ଗା ପୂଜା ହେଉଥିବାରୁ ଲାଗିପାରେ ଗହଳି । ତେଣୁ ଭିଡ଼କୁ ଆଖି ଆଗରେ ରଖି କମିସନରେଟ ପୋଲିସ ଜାରି କରିଛି ଟ୍ରାଫିକ କଟକଣା । ଆସନ୍ତା ଅକ୍ଟୋବର 1 ରୁ 5 ଯାଏଁ ଜାରି ହୋଇଛି ଟ୍ରାଫିକ କଟକଣା ।ସହରର ପ୍ରମୁଖ ରାସ୍ତରେ ଭାରୀଯାନ ପ୍ରବେଶକୁ ନିଷିଦ୍ଧ କରାଯାଇଛି । ଏପରିକି କିଛି ପୂଜା ପେଣ୍ତାଲର ନିକଟବର୍ତ୍ତୀ ରାସ୍ତା ଓ ପ୍ରବେଶସ୍ଥଳରେ ଦୁଇ ଚକିଆ ଯାନର ପ୍ରବେଶ ମଧ୍ୟ ନିଷିଦ୍ଧ କରାଯାଇଛି ।
ଅପରାହ୍ନ 4 ଟା ରୁ ରାତି ଦୁଇଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ପୋଲିସ ପକ୍ଷକୁ ସୂଚନା ଦିଆଯାଇଛି । ଖଣ୍ତଗିରିରୁ ରସୁଲଗଡ଼ ଭିତରେ ଥିବା NH - 16 ରେ କେବଳ ଓଭର ବ୍ରିଜ ଉପରେ ହିଁ ଭାରୀଯାନ ଯାଇ ପାରିବ । ଖଣ୍ତଗିରିଠାରୁ ପୋଖରୀପୁଟ ଯାଏଁ ଭାରୀଯାନ ପ୍ରବେଶ ଉପରେ ରୋକ ଲଗାଯାଇଛି । ସେହିପରି ଏହି ରାସ୍ତାକୁ ସଂଯୋଗ କରୁଥିବା ଜାଗମରା ଓ ଗଣ୍ତମୁଣ୍ତା ରାସ୍ତାରେ ଅପରାହ୍ନ 4 ଟା ପରଠୁ ଭାରୀଯାନ ଗଢ଼ିବା ଉପରେ କଟକଣା ଲଗାଯାଇଛି ।ଫାୟାର ଷ୍ଟେସନଠାରୁ ଶିଶୁଭବନ ଛକ ଓ ସିଆରପିଏଫ୍ ଛକରୁ ପାୱାର ହାଉସ ଛକ ପର୍ଯ୍ୟନ୍ତ ଭାରୀଯାନ ପ୍ରବେଶକୁ ନିଷିଦ୍ଧ କରାଯାଇଛି ।
ସେହିପରି ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀବିହାରରୁ ଶିଶୁଭବନ ସହ ରସୁଲଗଡ଼ରୁ ଲିଙ୍ଗିପୁର ଟ୍ରାଫିକ ଯାଏଁ ଭାରୀଯାନ ପ୍ରବେଶ ଉପରେ ରୋକ ଲଗାଯାଇଛି । NH ର ବରମୁଣ୍ତା ଓଭରବ୍ରିଜରୁ ପଳାଶୁଣୀ ଯାଏଁ ଥିବା ସର୍ଭିସ ରୋଡରେ ମଧ୍ୟ ଭାରୀଯାନ ପ୍ରବେଶ ନିଷେଦ୍ଧ କରାଯାଇଛି । ଆବଶ୍ୟକ ପଡ଼ିଲେ ଖୋର୍ଦ୍ଧାରୁ କଟକ ଯାଉଥିବା ଟ୍ରକ ଓ ବସଗୁଡ଼ିକୁ ପିତାପଲ୍ଲୀଠାରେ ଅଟକାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେହି ଯାନଗୁଡ଼ିକ ବାମପାର୍ଶ୍ବରେ ଚନ୍ଦକା ବାରଙ୍ଗ ରାସ୍ତା ଦେଇ ବାଲିକୁଦାଠାରେ NH ସହ ମିଶି ପାରିବେ ବୋଲି କୁହା ଯାଇଛି ।
ନୂଆପଲ୍ଲୀ ଦୁର୍ଗାପୂଜା ଭିଡ଼କୁ ଆଖି ଆଗରେ ରଖି ନୂଆପଲ୍ଲୀ ଅଣ୍ତରପାସକୁ ବନ୍ଦ କରାଯାଇଛି । ରାବଣ ପୋଡ଼ି ଦିନ କଟକ ଆଡ଼ୁ ଆସୁଥିବା ସମସ୍ତ ଗାଡ଼ିକୁ ଜୟଦେବ ବିହାର ଛକରୁ ବାମ ପାର୍ଶ୍ବ ଦେଇ ବେହେରା ସାହି, ପାୱାର ହାଉସ ଛକ, ୟୁନିଟ - 8 ଡିଏଭି ଛକ ଦେଇ ସିଆରପିଏଫ୍ ରେ ମିଶି ପାରିବେ ବୋଲି କୁହା ଯାଇଛି । ସେହିପରି ପୁରୀରୁ ବରମୁଣ୍ତା ଆସୁଥିବା ଗାଡ଼ିଗୁଡ଼ିକ ଲିଙ୍ଗିପୁର ଦେଇ ସାମନ୍ତରାପୁର ଓ କଳ୍ପନା ଯାଏଁ ଯିବା ପରେ ସେଠାରୁ ରାଜମହଲ, ଶିଶୁ ଭବନ, ଗଙ୍ଗ ନଗର ଛକରୁ ଫାୟାର ଷ୍ଟେସନ ଦେଇ ବରମୁଣ୍ତା ବସଷ୍ଟାଣ୍ତକୁ ଯିବେ ବୋଲି ନିଷ୍ପତ୍ତି ହୋଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।