
ବାଲେଶ୍ୱର: ଜାପାନରେ କାମ କରିବାକୁ ଯାଇ ଦୁଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି । ଟୋକିଓ ସହରର ଓଟାକୁ ଥାନା ନାକାରକୁଗ ସ୍ଥିତ ଏକ ଘରୋଇ ହୋଟେଲ 'ତାନଶେନ ଭିଉ 'ରେ ରୋଷେୟା ଭାବେ କାମ କରୁଥିଲେ ଦୁଇ ଯୁବକ । ତେବେ ଦୁଇ ଯୁବକ ହେଲେ ବାଲେଶ୍ଵର ଜିଲ୍ଲା କମର୍ଦା ଥାନା କେସବା କମର୍ଦା ଅଞ୍ଚଳର ଶେଖ ମନତାଜ ଓ ଅନ୍ୟ ଜଣେ ଯାଜପୁର ଜିଲ୍ଲା ବଡ଼ଚଣା ପଠାନ ମେହେଲା ବସ୍ତିର ଶେଖ ବେହେରୁଦିନ ବୋଲି ଜଣାପଡିଛି ।
ଗତ ଜାନୁଆରୀ 29 ତାରିଖ ରାତିରୁ ମନତାଜଙ୍କ ସହ ପରିବାର ଲୋକେ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଯୋଗାଯୋଗ ହୋଇ ପାରି ନଥିଲା । ଗତକାଲି ଜାନୁଆରୀ 30 ତାରିଖରେ ମନତାଜ ଓ ବେହେରୁଦ୍ଦିନଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଖବର ପାଇଥିଲେ । ଜାପାନର ଗଣମାଧ୍ୟମରୁ ପ୍ରକାଶିତ ଯେ ହୋଟେଲରେ କାର୍ଯ୍ୟ କରୁଥିବା ବେଳେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକେଜ ହେବା ଫଳରେ ଶ୍ଵାସରୁଦ୍ଧ ହୋଇ ଉଭୟଙ୍କ ମୃତ୍ୟୁ ହୋଇଛି ।
ଅଧିକ ତଦନ୍ତ ପାଇଁ କାମାଟା ପୋଲିସ ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚାଲୁ ରଖିଥିବାବେଳେ ସେଠାରେ ଥିବା ସମ୍ପର୍କୀୟଙ୍କୁ ଶବ ଦେଖାଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ମୃତଦେହକୁ ଓଡିଶା ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି ପରିବାର ଲୋକ ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେମାନଙ୍କ ମୃତଦେହକୁ ଆଣିବା ପାଇଁ ହସ୍ତକ୍ଷେପ କରିଛନ୍ତି । ମୃତଶରୀର ଓଡିଶା ଆଣିବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି ପ୍ରତାପ । ଖୁବଶୀଘ୍ର ସେମାନଙ୍କ ମୃତଦେହ ଓଡ଼ିଶା ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ।
