ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଘଂନ ହୋଇଥିବା ନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଓ ଓପିଏସସିକୁ ୟୁଜିସିର ଚିଠି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ଉପରେ ମାନ୍ୟବର ସୁପ୍ରିମକୋର୍ଟ ୩ ମାସ ପାଇଁ ରହିତାଦେଶ ଲଗାଇଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସି ଉଲ୍ଲଂଘନ କରିଥିବା ଚିଠି ଲେଖି ତାଗିଦ୍ କରିଛି ୟୁଜିସି । ୟୁଜିସି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ସଚିବ ଏବଂ ଓପିଏସସିକୁ ଲେଖିଥିବା ପୃଥକ ପୃଥକ ପତ୍ରରେ ଉଲ୍ଲେଖ ରହିଛି ଯେ, ମଇ ୨୩ରେ ଓପିଏସସି ସାମାଜ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳାଫଳ ଏବଂ ମଇ ୨୪ରେ ବାଣିଜ୍ୟର ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପ୍ରକ୍ରିୟାର ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ସୁପ୍ରିମକୋର୍ଟରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ନେଇ ଏସଏଲପି ବିଚାରଧୀନ ରହିଛି । ତେଣୁ ଓପିଏସସି ଦ୍ବାରା ଶିକ୍ଷକ ନିଯୁକ୍ତି ଏବଂ ରାଜ୍ୟ ଚୟନ ବୋର୍ଡ (ଏସଏସବି)ର ଅଣଶିକ୍ଷକ ନିଯୁକ୍ତିର ବିଜ୍ଞପ୍ତି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛି। ତେଣୁ ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକସେବା ଆୟୋଗ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ଏହି ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରୁହନ୍ତୁ । ନଚେତ୍ ଏଥିରେ ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ତାଗିଦ୍ କରିଛି ୟୁଜିସି।
୯୦ ଦିନ ପାଇଁ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଏହାସହ ୪ ସପ୍ତାହରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ । ଶିକ୍ଷାବିତଙ୍କ ଅଭିଯୋଗ ଥିଲା, ଅଧିନିୟମ ବିଶ୍ବବିଦ୍ୟାଳୟର ସ୍ବାୟତତ୍ତାକୁ ନଷ୍ଟ କରୁଥିଲା । ୟୁଜିସି ଗାଇଡ୍ଲାଇନକୁ ବିରୋଧଚରଣ କରୁଥିଲା । ଏହା ଆଇନସଙ୍ଗତ ହୋଇ ନ ଥିବା ହୃଦୟଙ୍ଗମ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ରାଜ୍ୟ ସରକାର ବିଶ୍ବବିଦ୍ୟାଳୟର ସ୍ବାୟତତ୍ତା ଉପରେ ହସ୍ତକ୍ଷେପ କରିଥିବା ଅଭିଯୋଗ ଆସୁଥିଲା । ଭିସି ଚୟନ ପାଇଁ ୟୁଜିସି ଗାଇଡଲାଇନ ଆଧାରରେ ସର୍ଚ୍ଚ କମିଟି, ଚୟନ କମିଟି ବଦଳରେ ଭିସି ନିଯୁକ୍ତିରେ ରାଜ୍ୟ ସରକାରଙ୍କର ଭୂମିକାକୁ ଏହି ଅଧିନିୟମରେ ଶକ୍ତିଶାଳୀ କରାଯାଇଥିଲା । ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଏକାଡେମିକ ପଦ ପୂରଣ ପାଇଁ କୁଳପତି ଏବଂ ୟୁଜିସି ଗାଇଡଲାନ ଆଧାରରେ ଚୟନ କମିଟି ବଦଳରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବାର ଆଇନରେ ବ୍ୟବସ୍ଥା କରାଯାଇଥିଲା ।
ଏହି ଆଇନ ବିରୋଧରେ ରାଜ୍ୟର ବହୁ ବିଶିଷ୍ଟ ଶିକ୍ଷାବିତ୍, ପୂର୍ବତନ କୂଳପତି, ଛାତ୍ର, ରାଜନୈତିକ ଓ ସାମାଜିକ ସଂଗଠନମାନେ ଆନ୍ଦୋଳନର ରାସ୍ତାକୁ ଓହ୍ଲାଇଥିଲେ। ବିଶ୍ବବିଦ୍ୟାଳୟର ସ୍ବାୟତତ୍ତା ପାଇଁ ଓ ନିର୍ଣ୍ଣୟ ପ୍ରକ୍ରିୟାରେ ସିନେଟ୍ ସିଣ୍ଡିକେଟ୍ ଭଳି ସ୍ବାୟତ୍ତ ବ୍ୟବସ୍ଥା ବଦଳରେ ରାଜ୍ୟ ସରକାରଙ୍କ ଅଧିକାରକୁ ବିଶ୍ବବିଦ୍ୟାଳୟ ଉପରେ ଲଦି ଦେବାର ଆଇନର ବ୍ୟବସ୍ଥା ରହିଥିବା ଅଭିଯୋଗ ଆଣୁଥିଲେ ବିରୋଧୀ।