ଭୁବନେଶ୍ୱର: ବିଶୃଙ୍ଖଳାର ବାରୁଦ ଗଦାରେ ବସିଛି ବିଜେଡି । ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ବଡ଼ ଧରଣର ବିସ୍ଫୋରଣ । ଖଣ୍ଡ ଖଣ୍ଡ ହୋଇଯାଇପାରେ ବିଜେଡି । କ୍ରମାଗତ ଷଷ୍ଠ ଥର ଲାଗି ସରକାର ଗଠନର ସ୍ବପ୍ନ ହୋଇପାରେ ଧୂଳିସାତ୍ । କାରଣ ଗୃହ ଯୁଦ୍ଧରେ ଉଠୁଛି ପଡୁଛି ଶଙ୍ଖ ଶିବିର । ନେତା ନେତାଙ୍କ ଭିତରେ ଭୀଷଣ ଲଢେଇ । ସମାଧାନ ବଦଳରେ ମଜା ନେଉଛନ୍ତି ମଙ୍ଗୁଆଳ । ଗୋଟେ ପଟେ ବିଜେଡି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଦଳ ପାଇଁ ମୁଣ୍ଡବିନ୍ଧା ବଢାଇଛି ଅସଜଡା ସଙ୍ଗଠନ ।
ବାଲେଶ୍ବର ଜିଲ୍ଲାର ସ୍ଥିତି ପୁଣି ଥରେ ବିଜେଡିରେ ଅଲ ଇଜ୍ ନଟ ଓ୍ବେଲ୍ ପ୍ରସଙ୍ଗକୁ ସାମ୍ନାକୁ ଆଣି ଦେଇଛି । ଜିଲ୍ଲାର ବରିଷ୍ଠ ନେତା ରବୀନ୍ଦ୍ର ଜେନା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ଦଳୀୟ ସଙ୍ଗଠନର ତୁ ତୁ ମେଁ ମେଁ କୁ ପଦାକୁ ଆଣି ଦେଇଛି । ଜିଲ୍ଲାରେ ରବୀନ୍ଦ୍ର ଜେନା, ଜ୍ୟୋତି ପାଣିଗ୍ରାହୀ, ଅଶ୍ବିନୀ ପାତ୍ର ଓ ସ୍ବରୂପ ଦାସଙ୍କ ମଧ୍ୟରେ ତିକ୍ତତା ଉଗ୍ର ରୂପ ଧାରଣ କରିଛି ବୋଲି ଚର୍ଚ୍ଚା ହେଉଛି । ଏପରିକି ଖୋଦ୍ ଜିଲ୍ଲାର ପର୍ଯ୍ୟବେକ୍ଷକ ବି ଏହାକୁ ସ୍ବୀକାର କରି କହିଛନ୍ତି ଗଣତନ୍ତ୍ରରେ ସବୁବେଳେ ମତ ଦୁଇ ମତ ରହିଥାଏ । କେବଳ ପଶ୍ଚିମ ଓଡିଶା କି ଉତ୍ତର ଓଡିଶା ନୁହେଁ ବରଂ ଦକ୍ଷିଣ ଓ ଉପକୂଳରେ ବି ସମାନ ସ୍ଥିତି ।
ସେପଟେ ଗତ କିଛି ଦିନ ତଳେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ପଶ୍ଚିମ ଓଡିଶା ବିଜେଡି ଶିବିରରେ ଅସନ୍ତୋଷର ଅଗ୍ନି ଜଳିଥିଲା । ସୁଶାନ୍ତ ସିଂ ଙ୍କୁ ମନ୍ତ୍ରୀ ପଦ ନ ମିଳିବାରୁ ନିଆଁବାଣ ହୋଇଥିଲେ ତାଙ୍କ ସମଥର୍କ । ଆଉ ଖୋଦ୍ ସୁଶାନ୍ତ ସିଂ ବି ଶପଥ ଗ୍ରହଣ ସମାରୋହକୁ ନ ଆସିବା ଅସନ୍ତୋଷକୁ ନେଇ ଦେଇଥିଲା ବଡ ସଙ୍କେତ । ତେବେ ଦଳର ମଙ୍ଗୁଆଳ ସୁଶାନ୍ତ ଙ୍କୁ ଡାକି ଯେନ ତେନ ପ୍ରକାର ମାମଲା କୁ ଚାପି ଦେଇଥିଲେ ବି ଏବେ ବି ସେଠି ନିଆଁ କୁହୁଳିବାରେ ଲାଗିଛି ।
ସେପଟେ ଦକ୍ଷିଣ ଓଡିଶାରେ ବି ସମାନ ସ୍ଥିତି । ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳକୁ ଆଶାତୀତ ଫଳ ମିଳି ନଥିବା ବେଳେ ଗୋଷ୍ଠୀ କନ୍ଦଳ ପଦାରେ ପଡିଥିଲା । ଏପରିକି ଗଞ୍ଜାମ ଛତ୍ରପୁରରେ ବିଧାୟକ ସୁବାସ ବେହେରା ଓ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟ ବିଧାନସଭା ଆସନ ଯେମିତି କି ଖଲ୍ଲିକୋଟ, ଗୋପାଳପୁର, ଦିଗପହଣ୍ଡି, କବିସୂର୍ଯ୍ୟନଗର, ସାନଖେମୁଣ୍ଡିରେ ବିଦ୍ରୋହ ମୁଣ୍ଡ ଟେକିଛି । ଏପରିକି ସଙ୍ଗଠନରେ ଫାଟ ପ୍ରସଙ୍ଗକୁ ସ୍ବୀକାର ବି କରିଛନ୍ତି ଜିଲ୍ଲା ସଭାପତି । କଥା ଏତିକିରେ ସରିନି । କଟକଠୁ ନେଇ କୋରାପୁଟ, ମୟୁରଭଞ୍ଜଠୁ ନେଇ ସମ୍ବଲପୁର ସବୁଠି ଦାନା ବାନ୍ଧୁଥିବା ଅସନ୍ତୋଷ 26 ବର୍ଷର ଦଳକୁ ଦୋହଲାଇ ଦେବ ବୋଲି ଚର୍ଚ୍ଚା ହେଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର