ଯେଉଁଠି ତଳି ଅଛି, ତାହା ଶୁଖିଗଲାଣି । ଏମିତିରେ ଆଶା ଦେଖାଇଛି ପାଣିପାଗ ପୂର୍ବାନୁମାନ, ଆସନ୍ତା ୪ ତାରିଖ ପରେ ପାଗ ବଦଳିପାରେ । ଲଘୁଚାପ ଦାନା ବାନ୍ଧି କିଛି ବର୍ଷା ଆଣିବ । ପ୍ରଥମ ଲଘୁଚାପ ୬/୭ ତାରିଖବେଳକୁ ଆସିପାରେ, ପୁଣି ଆଉ ଗୋଟିଏ ଆସିପାରେ ୧୩ ତାରିଖ ପାଖାପାଖି । ଦ୍ୱିତୀୟ ଲଘୁଚାପ ଭଲ ବର୍ଷା ଆଣିବ । ସେପ୍ଟେମ୍ବର ମାସରେ ବର୍ଷା ଠିକଠାକ ରହିବ ।ପାଣିପାଗ ବିଭାଗର ସୂଚନାନୁସାରେ,ଚଳିତ ସେପ୍ଟେମ୍ବରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଦେଶରେ ସ୍ୱାଭାବିକଠାରୁ ଅଧିକ ରହିପାରେ ।
ଓଡ଼ିଶାରେ ସ୍ୱାଭାବିକ ବର୍ଷା ସମ୍ଭାବନା ଅଛି ଏଇ ମାସରେ । ସମ୍ଭାବ୍ୟ ଚିତ୍ରରେ ଯାହା ଦର୍ଶାଯାଇଛି, ସେଥିରୁ ଅନୁମାନ କରାଯାଉଛି, ରାଜ୍ୟରେ ବର୍ଷା ଭଲ ରହିବ । ତଥାପି ଝାଡ଼ଖଣ୍ଡ ପାଶ୍ୱର୍ବର୍ତ୍ତୀ ଓଡ଼ିଶାର କିଛି ଉତ୍ତର ପଶ୍ଚିମ ଅଞ୍ଚଳରେ ବର୍ଷା କମ୍ ରହିପାରେ । ସେହିସବୁ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ଅଧିକ ରହିପାରେ । ଆଇଏମଡି ଆହୁରି ଅନୁମାନ କରିଛି, ଆସନ୍ତା ୭ ତାରିଖବେଳକୁ ଲଘୁଚାପ ହୋଇପାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ । ଏବେ ବଡ଼ ବର୍ଷା ନାହିଁ । ଯାହା ହେବ, ଘଡ଼ଘଡ଼ି ସହ ବର୍ଷା ଠାଏଠାଏ ହୋଇପାରେ । ୨ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩ରେ ଦକ୍ଷିଣ ଆଭ୍ୟନ୍ତରୀଣ ସମେତ କେତେକ ଜାଗାରେ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ୪ ଓ ୫ରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । ତା’ପରେ ଲଘୁଚାପ ଯୋଗୁ ପାଗ ବଦଳିପାରେ ।
ଏହା ପ୍ରଭାବରେ ୪ରୁ ରାଜ୍ୟରେ ପାଗ ବଦଳିବ । ୪ରୁ ୭ ତାରିଖ ଭିତରେ କିଛି ବର୍ଷା ହେବ । ଉପକୂଳରେ ହାଲୁକାରୁ ସ୍ୱଳ୍ପ (ମୋଟ ହାରାହାରି ୪୦ ମିଲିମିଟର) ଓ ଦକ୍ଷିଣ ଓଡ଼ିଶାରେ ସାମାନ୍ୟ ଅଧିକ (୪୦ରୁ ୬୦ ମିମି), ପଶ୍ଚିମରେ ସର୍ବାଧିକ ହାରାହାରି ୮୦ ମିମି ପର୍ୟ୍ୟନ୍ତ ବର୍ଷା ହୋଇପାରେ । ପୁଣି ୯ ତାରିଖରୁ ଖରା ବଢ଼ିବ । ତେବେ ୧୩ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ଭାରି ବର୍ଷା ସମ୍ଭାବନା ଅଛି ରାଜ୍ୟରେ ।