ଶିବ ପୁରାଣରେ ଏ ନେଇ କଥାଟିଏ ଅଛି। ଯେତେବେଳେ କାର୍ତ୍ତିକେୟଙ୍କ ଦ୍ଵାରା ତାରକାସୁରକୁ ବଧ ହେଲା, ସେବେ ତାର ତିନି ପୁତ୍ର ତାରକାକ୍ଷ, ବିଦ୍ୟୁନଳୀ ଓ କମଳାକ୍ଷ ବ୍ରହ୍ମା ପୂଜନ କରି ଅଜେୟ ହେଲେ। ବ୍ରହ୍ମାଙ୍କୁ ଆରାଧନା କରି ସୁବର୍ଣ୍ଣ, ରୌପ୍ୟ ଏବଂ ଲୌହରେ ତ୍ରିପୁର ନିର୍ମାଣ କରି ତ୍ରିପୁର ଅଧିପତି ହେଲେ। ଶିବ ଆରାଧନା ଫଳରେ ସେମାନଙ୍କର ପୁଣି ବୃଦ୍ଧି ହେତୁ ତାଙ୍କୁ କେହି ବଧ କରିବାକୁ ସକ୍ଷମ ହୁଅନ୍ତି ନାହିଁ। ସେ ବରଦାନ ପ୍ରାପ୍ତି କରିଥିଲେ ଯେ ସେ କେବଳ ଶିବଙ୍କ ହସ୍ତରେ ମୃତ୍ୟୁଲାଭ କରିବେ।
ତାହା ବି ପୁଣି ଯେତେବେଳେ ତ୍ରିପୁର ଏକ ସରଳରେଖାରେ ଆସିବ। ଏପରି ବରପ୍ରାପ୍ତ ହୋଇ ତିନିହେଁ ଅଜେୟ ହୁଅନ୍ତି। ଅତ୍ୟାଚାର ବଢିଚାଲେ। ଶେଷରେ ସମସ୍ତେ ଭଗବାନ ଶିବଙ୍କ ଶରଣାପନ୍ନା ହୁଅନ୍ତି। ମହାକାଶରେ ଯୁଦ୍ଧ ପାଇଁ ଏକ ରଥ ନିର୍ମାଣ ହୁଏ ଭଗବାନ ଶିବଙ୍କ ପାଇଁ। ବ୍ରହ୍ମା ବିଷ୍ଣୁଙ୍କ ସହାୟତାରେ ଓ ବିଶ୍ୱକର୍ମାଙ୍କ ଦ୍ଵାରା ରଥ ନିର୍ମାଣ ଆରମ୍ଭ ହୁଏ। ସର୍ବଦେବମୟୀ, ସର୍ବ ଲୋକମୟୀ ରଥ ନିର୍ମାଣ ଆରମ୍ଭ ହୁଏ। ସେହି ରଥ ବିଶ୍ୱକର୍ମାଙ୍କ ଦ୍ଵାରା ସମ୍ପୂର୍ଣ୍ଣ ଭାବେ ରୁକ୍ମ ବା ସୁବର୍ଣ୍ଣରେ ନିର୍ମାଣ କରନ୍ତି। ତେଣୁ ଏହି ରଥର ନାମ ହୁଏ ରୁକ୍ମଣା ରଥ ବା ରୁକୁଣା ରଥ। ଏହି ରଥ ଦେବତାମାନଙ୍କ ଶକ୍ତି ସହ ଅସୁର ବିନାଶ କରିଥିବାରୁ ଏହାର ନାମ ହୁଏ ଦେବଦଳନ।
ଯାହାର ଡାହାଣ ଚକରେ ସୂର୍ଯ୍ୟ, ବାମ ଚକରେ ଚନ୍ଦ୍ର ବିରାଜମାନ ହୁଅନ୍ତି। ପୃଥିବୀ ହେଲେ ରଥର ଶରୀର। ଅନ୍ତରୀକ୍ଷ ହେଲେ ରଥର ଅଗ୍ରଭାଗ। ମନ୍ଦରାଚଳ ହେଲା ସେହି ରଥର ବୈଠକ ସ୍ଥାନ। ହିମାଳୟ ପର୍ବତ ଧନୁ ହେଲେ, ଶେଷ ନାଗ ଅନନ୍ତ ସେହି ଧନୁରେ ଗୁଣ ହେଲେ। ସ୍ଵୟଂ ନାରାୟଣ ମହାଦେବଙ୍କୁ ସହଯୋଗ ନିମନ୍ତେ ଶର ରୂପ ଧାରଣ କଲେ। ସେହି ଧନୁର ତୀରରେ ଅଗ୍ନି ବାସ କଲେ। ବ୍ରହ୍ମା ହେଲେ ସାରଥି, ଅପୌରୁଷେୟ ଚାରି ବେଦ ଚାରି ଅଶ୍ଵ ହେଲେ।