ଅର୍ଗସ ବ୍ୟୁରୋ : ଆଗାମୀ ଅଗଷ୍ଟ ୧ ତାରିଖରୁ ସୁଟରମାନଙ୍କ କ୍ୟାମ୍ପ ଦିଲ୍ଲୀ ସ୍ଥିତ ଡକ୍ଟର କର୍ଣ୍ଣୀ ସିଂ ସୁଟିଙ୍ଗ ରେଞ୍ଜରେ ଆରମ୍ଭ ହେବ ବୋଲି ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । ଏହି ମହାମାରୀ କରୋନା ପରିସ୍ଥିତିରେ ଦିଲ୍ଲୀ ସହରକୁ ଅନ୍ୟ ରାଜ୍ୟର ସୁଟରମାନେ ଯିବେ କି ନାହିଁ ତାହା ମଧ୍ୟ ସନ୍ଦେହରେ । ଅନ୍ୟ ରାଜ୍ୟମାନଙ୍କରୁ ଆସୁଥିବା ସୁଟର ସମସ୍ତେ କ୍ୱାରେଣ୍ଟିନରେ ରହିବେ ଏବଂ ସେମାନଙ୍କ ଏହି ସମୟସୀମା ସମାପ୍ତ ହେଲେ ସୁଟିଙ୍ଗ ନିମନ୍ତେ ଅଭ୍ୟାସ ଶିବିର ଆୟୋଜିତ ହେବ । ପୂର୍ବରୁ ସ୍ପୋର୍ଟସ ଅଥୋରଟି ଅଫ ଇଣ୍ଡିଆ ଦିଲ୍ଲୀର ସୁଟିଙ୍ଗ ରେଞକୁ ଜୁଲାଇ ଦ୍ୱିତୀୟ ସପ୍ତାହରୁ ଖୋଲିସାରିଛି । ଏହି ସୁଟିଙ୍ଗ ରେଞ୍ଜରେ ଦିଲ୍ଲୀ ରହୁଥିବା ଏବଂ ଦିଲ୍ଲୀର ପାଖାପାଖି ଅଂଚଳରେ ରହୁଥିବା ସୁଟରମାନେ ଅଭ୍ୟାସ କରୁଛନ୍ତି ।
ପିସ୍ତଲ ସୁଟର ମନୁ ଭକର ୨୫ ମିଟର ପିସ୍ତଲ ଇଭେଣ୍ଟ ପାଇଁ ଟ୍ରେନିଂ ନେବା ପାଇଁ ହରିୟାଣା ଠାରୁ ଫରିଦାବାଦକୁ ସ୍ଥାନାନ୍ତର କରିଥିବାବେଳେ ଦିବ୍ୟନାଶ ସିଂ ପାନୱାର, ଦୀପକ କୁମାର, ସଞ୍ଜୀବ ରାଜପୁତ, ଶେରାଜ ଶେଖ ଏବଂ ମୀରଜ ଅହମ୍ମଦ ଖାନ ଦିଲ୍ଲୀ-ଫରିଦାବାଦ ସୀମା ନିକଟବର୍ତ୍ତୀ ରହିବେ ଯାହା ଫଳରେ ରେଞ୍ଜକୁ ସହଜରେ ପ୍ରବେଶ ସହାୟକ ହେବ ।
ଏହା ସହ ଏହି ମହାମରୀ ସମୟରେ ଯଦି ସୁଟିଙ୍ଗ କ୍ୟାମ୍ପ ମଧ୍ୟରେ କୌଣସି ସୁଟର କରୋନାରେ ଆକ୍ରାନ୍ତ ହୁଅନ୍ତି ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଆଗାମୀ ଅଲମ୍ପିକକୁ ଦୃଷ୍ଟିରେ ରଖି ଏହି କ୍ୟାମ୍ପ ଆୟୋଜନ କରାଯାଉଛି ବୋଲି ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । ତେବେ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଜୁଲାଇ ୧୪ ତାରିଖରେ ବସିଥିବା ଏକ ବୌଠକରେ ଭାରତରେ ସୁଟିଙ୍ଗର ଡୋମେଷ୍ଟିକ ମ୍ୟାଚ ଗୁଡିକ ଆରମ୍ଭ ହେବ କି ନାହିଁ ସେ ସମ୍ବଧରେ କୌଣସି ଆଲୋଚନା କରାଯାଇନାହିଁ । ତେବେ ଏହି ଡୋମେଷ୍ଟିକ ସିଜିନ ହେବ କି ନାହିଁ ତାହା ସନ୍ଦେହ ଘେରରେ ।
