ଗ୍ୱାଲିୟରରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ୩ଟି ଛକା ମାରିବା ସହ ସୂର୍ଯ୍ୟକୁମାରଙ୍କ ନାମରେ ଏକ ବଡ଼ ରେକର୍ଡ ସାମିଲ ହୋଇଛି । ବର୍ତ୍ତମାନ ସୁଦ୍ଧା ଟି-୨୦ କ୍ରିକେଟରେ ସର୍ବାଧିକ ଛକା ମାରିବା ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଏହି ମ୍ୟାଚ ପରେ ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାରଙ୍କ ଛକା ସଂଖ୍ୟା ୧୩୯ରେ ପହଞ୍ଚିଛି । ଏହାସହିତ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ଜୋସ୍ ବଟଲରଙ୍କୁ ପଛରେ ପକାଇ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ । ବଟଲର ବର୍ତ୍ତମାନ ସୁଦ୍ଧା ମୋଟ ୧୩୭ଟି ଛକା ମାରିବାରେ ସଫଳ ହୋଇଛନ୍ତି।
ଟି-୨୦ କ୍ରିକେଟ ଇତିହାସରେ ସର୍ବାଧିକ ଛକା ମାରିବା ତାଲିକାରେ ଶୀର୍ଷରେ ରହିଛନ୍ତି ଭାରତର ପୂର୍ବତନ ଅଧିନାୟକ(ଟି-୨୦) ରୋହିତ ଶର୍ମା। ରୋହିତ ନିଜ ଟି-୨୦ କ୍ୟାରିୟରରେ ୨୦୫ଟି ଛକା ମାରିଥିବା ବେଳେ ଅନ୍ୟ କୌଣସି ଖେଳାଳି ୨୦୦ଟି ଛକା ମାରିବାରେ ସଫଳ ହୋଇନାହାନ୍ତି । ତେବେ ଟି-୨୦ ବିଶ୍ୱକପ ୨୦୨୪ରେ ଚମ୍ପିଆନ୍ ହେବା ପରେ ରୋହିତ ଶର୍ମା ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ରୋହିତଙ୍କ ପରେ ୧୭୩ ଛକା ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମାର୍ଟିନ ଗପ୍ଟିଲ । ତେବେ ତୃତୀୟ ସ୍ଥାନରେ ୧୪୪ ଛକା ସହନିକୋଲାସ ପୁରନ୍ ଥିବା ବେଳେ ଚତୁର୍ଥ ଏବଂ ପଞ୍ଚମରେ ସୂର୍ଯ୍ୟକୁମାର ଏବଂ ବଟଲର ସ୍ଥାନ ପାଇଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର