ପ୍ରଥମ ୱିକେଟ୍ରେ ଧାୱନ (୭୦) ଓ ଜନି ବେୟାରଷ୍ଟୋ (୪୨) ୧୦୨ ରନ୍ ଯୋଡ଼ିଥିଲେ। ହେଲେ ପରବର୍ତ୍ତୀ ବ୍ୟାଟର୍ଙ୍କ ବେପରୁଆ ବ୍ୟାଟିଂ ପାଇଁ ପଞ୍ଜାବ ୩୯ ରନ୍ରେ ୫ ୱିକେଟ୍ ହରାଇ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ୧୧.୩ ଓଭର ପର୍ଯ୍ୟନ୍ତ ୱିକେଟ୍ଟିଏ ପାଇଁ ସଂଘର୍ଷ କରିଥିବା ଲକ୍ଷ୍ନୌ, ମୟଙ୍କ ୟାଦବଙ୍କ ଯାଦୁରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଶନିବାର ଚଳିତ ଋତୁର ଦ୍ରୁତତମ ବଲ୍ ପକାଇଥିବା ୨୧ ବର୍ଷୀୟ ମୟଙ୍କ ବିପଜ୍ଜନକ ବେୟାରଷ୍ଟୋଙ୍କୁ ମାର୍କସ ଷ୍ଟୋଇନିସଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିବା ପରେ ଇମ୍ପାକ୍ଟ ପ୍ଲେୟର ପ୍ରଭସିମରନ୍ ସିଂହ ଓ ଜିତେଶ ଶର୍ମାଙ୍କୁ ଆଉଟ୍ କରି ପଞ୍ଜାବର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।
ବଢ଼ିବଢ଼ି ଚାଲିଥିବା ରନ୍ ହାରକୁ ନିୟନ୍ତ୍ରଣରେ ରଖିବା ପ୍ରୟାସରେ ଧାୱନ ଆଉଟ୍ ହେବା ପରେ ଏକଦା ଦୃଢ଼ ସ୍ଥିତିରେ ଥିବା ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା। ଅନ୍ୟପକ୍ଷରେ ଦ୍ବିତୀୟାର୍ଦ୍ଧରେ ଶୃଙ୍ଖଳିତ ବୋଲିଂ କରି ଲକ୍ଷ୍ନୌ ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। ମୟଙ୍କଙ୍କ ସହ ମୋହସିନ ଖାନ୍ (୨/୩୪) ଠିକଣା ସମୟରେ ପଞ୍ଜାବର ଦୁଇ ବ୍ୟାଟର୍ଙ୍କୁ ଆଉଟ୍ କରି ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର