ଗତ ଶୁକ୍ରବାର ସକାଳେ ରିଷଭ ଦିଲ୍ଲୀରୁ କାର ଡ୍ରାଇଭିଂ କରି ଉତ୍ତରାଖଣ୍ଡ ସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡିଭାଇଡରରେ ପିଟି ହୋଇ କାର୍ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏଥିରେ ପନ୍ତ ଗୁରୁତର ଆହତ ହୋଇଥିଲେ। ଡାକ୍ତରମାନେ ତାଙ୍କ ଶୀଘ୍ର ସୁସ୍ଥ କରିବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି।
ଇତି ମଧ୍ୟରେ ଦିଲ୍ଲୀ କ୍ରିକେଟ ଆସୋସିଏଶନ ନିର୍ଦ୍ଦେଶକ ଶ୍ୟାମ ଶର୍ମା ଡେରାଡୁନ ଯାଇ ଡାକ୍ତରଖାନାରେ ତାଙ୍କୁ ଭେଟିଛନ୍ତି। ଆବଶ୍ୟକ ପଡ଼ିଲେ ପରବର୍ତ୍ତୀ ଚିକିତ୍ସା ପାଇଁ ପନ୍ତଙ୍କୁ ଦିଲ୍ଲୀ କିମ୍ବା ମୁମ୍ବାଇ ଏୟାରଲିଫ୍ଟ କରାଯିବ ବୋଲି କହିଛନ୍ତି। ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଯଥେଷ୍ଟ ଧ୍ୟାନ ରଖାଯାଉଛି। ମୁଁ ବ୍ୟକ୍ତିଗତ ଭାବେ ତାଙ୍କ ସହ କଥା ହୋଇଛି। ରାସ୍ତାରେ ଏକ ଖାଲକୁ ଏଡ଼ାଇ ଯିବାପାଇଁ ଚେଷ୍ଟା କରୁଥିବାବେଳେ ସେ ନିୟନ୍ତ୍ରଣ ହରାଇ ବସିଥିବା ମୋତେ କହିଥିଲେ। ତେବେ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବାରୁ ତରବରିଆ ଭାବେ ଅନ୍ୟ କେଉଁ ହସ୍ପିଟାଲକୁ ନେବା ଏବେ ଆବଶ୍ୟକତା ନାହିଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ତେବେ ବିସିସିଆଇର ନିର୍ଦ୍ଦେଶ କ୍ରମେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।
ଗତକାଲି ବଲିଉଡ ଅଭିନେତା ଅନିଲ କପୁର ଓ ଅନୁମ ଖେର ମଧ୍ୟ ଡାକ୍ତରଖାନାକୁ ଯାଇ ପନ୍ତଙ୍କୁ ଭେଟିଥିଲେ। ପନ୍ତଙ୍କ ମା’ ସରୋଜ ଓ ଭଉଣୀ ସାକ୍ଷୀ ମଧ୍ୟ ହସ୍ପିଟାଲରେ ଅଛନ୍ତି। ଦିଲ୍ଲୀ ରଣଜୀ ଦଳର ସଦସ୍ୟ ନିତିଶ ରାଣା ମଧ୍ୟ ପନ୍ତଙ୍କୁ ସାକ୍ଷାତ କରିଛନ୍ତି। ଭାରତ ଦଳର କ୍ୟାପଟେନ ରୋହିତ ଶର୍ମା ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଫୋନରେ ପଚାରି ବୁଝିଛନ୍ତି।
କ୍ରୀଡା ଖବର ଆହୁରି ପଢନ୍ତୁ