ବଡ଼ ଘର ବଡ଼ ଗୁମର କଥା । ମା ଭୁଲିଗଲା ମମତାର ସମ୍ପର୍କ । ସଭାରେ ବଡ଼ ବଡ଼ ଭାଷଣ । କିନ୍ତୁ ବାସ୍ତବ ଜୀବନରେ ନେତ୍ରୀ ଭୁଲିଗଲେ ପରିବାର ଓ ମାନବିକତା । ଏମିତିକି ନିଜ ଜନ୍ମ କଲା ପୁଅକୁ କାଠ ଫାଳିଆରେ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଗରଦପୁର ବ୍ଲକର ବିଜେଡ଼ି ସଭାନେତ୍ରୀ ସୁଜାତା ମିଶ୍ର । ସୂଚନା ଅନୁସାରେ, ସୁଜାତାଙ୍କ ବଡ଼ ପୁଅ ପ୍ରେମ ବିବାହ କରିଥିଲେ । ଯାହାକୁ ନେଇ ପରିବାରରେ ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା । ଏମିତିକି କିଛି ଦିନ ତଳେ ବଡ଼ ପୁଅ ବୋହୂ ଏବଂ ନାତି ନାତୁଣିଙ୍କୁ ମଧ୍ୟ ସୁଜାତା ସେମାନଙ୍କ ଠାରୁ ଅଲଗା କରିଦେଇଥିଲେ ।
ହେଲେ ଗତ ଗୁରୁବାର ଦିନ ବାଥରୁମରେ ଗାଧୋଇବାକୁ ନେଇ କଳହ ଉଗ୍ରରୂପ ନେଇଥିଲା । ଏହାପରେ ସୁଜାତାଙ୍କ ନିର୍ଦ୍ଦେଶରେ ସ୍ବାମୀ ଏବଂ ସାନ ପୁଅ ମିଶି ବଡ଼ ପୁଅ ଉମାକାନ୍ତ ଏବଂ ତାଙ୍କ ପତ୍ନୀକୁ କାଠ ଫାଳିଆରେ ପିଟି ପିଟି ରକ୍ତାକ୍ତ କରି ଦେଇଥିଲେ । ଗୁରୁତର ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ଉମାକାନ୍ତଙ୍କର ଡ଼ାକ୍ତରଖାନା ଯିବା ବାଟରେ ହିଁ ଜୀବନ ଚାଲିଯାଇଥିଲା ।
ଉମାକାନ୍ତଙ୍କ ପତ୍ନୀ ପାଟକୁରା ଥାନାରେ ଅଭିଯୋଗ କରିବା ପରେ, ପୋଲିସ ସୁଜାତାଙ୍କ ସ୍ୱାମୀ ଓ ସାନପୁଅ ଗିରଫ କରିଛି । ସେପଟେ ସୁଜାତା ମିଶ୍ର ଏବେ ବି ଫେରାର । ତାଙ୍କୁ ଖୁବଶୀଘ୍ର ଗିରଫ ଦାବି କରିଛନ୍ତି ବଡ଼ ବୋହୂ ଓ ଗ୍ରାମବାସୀ । ସେପଟେ ବିଜେଡି ନାରୀ ନେତ୍ରୀଙ୍କ ଏଭଳି କାରନାମାକୁ ନେଇ ପାଟକୁରା ନିର୍ବାଚନ ମଣ୍ଡଳୀରେ ବଢ଼ୁଛି ଅସନ୍ତୋଷ । ବର୍ତମାନ ତିର୍ତ୍ତୋଲ ଉପନିର୍ବାଚନରେ ସୁଜାତାଙ୍କୁ ଦାୟିତ୍ବ ଦିଆଯାଇଛି । ସେଥିପାଇଁ ତାଙ୍କୁ ଗିରଫ ନ କରି ପୋଲିସ ଚୁପ ବସିଯାଇଥିବା ବିଜେପି ନେତ୍ରୀ ରୋଜାଲିନ ନାୟକ ଅଭିଯୋଗ କରିଛନ୍ତି ।