ଆମେରିକାକୁ ଚାଲେଞ୍ଜ୍ କରିବା ପାଇଁ ଆଣବିକ ‘ୱାର୍ହେଡ୍’ ସଂଖ୍ୟା ଅଧିକରୁ ଅଧିକ ବୃଦ୍ଧି କରିବା ଲାଗି ଦ୍ରୁତ ଆୟୋଜନ ଚଳାଇଛି ଚୀନ୍। ପେଣ୍ଟାଗନ୍ ଜାରି କରିଥିବା ରିପୋର୍ଟ ଅନୁସାରେ ଏବେ ସୁଦ୍ଧା ଚୀନ୍ ୪୦୦ ଆଣବିକ ‘ୱାର୍ହେଡ୍’ ବା ବିସ୍ଫୋରକ ଭରା କ୍ଷେପଣାସ୍ତ୍ରର ଅଗ୍ରଭାଗ ପ୍ରସ୍ତୁତ କରିସାରିଛି। କେବଳ ସେତିକି ନୁହେଁ ଆଗାମୀ ଦଶନ୍ଧିର ମଧ୍ୟଭାଗ ସୁଦ୍ଧା ଅର୍ଥାତ୍ ୨୦୩୫ ବେଳକୁ ଏହି ଆଗ୍ନେୟାସ୍ତ୍ରର ସଂଖ୍ୟା ପ୍ରାୟ ୧୫୦୦କୁ ବୃଦ୍ଧି କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୩ ସୁଦ୍ଧା ଜାତୀୟ ପ୍ରତିରକ୍ଷା ଏବଂ ସଶସ୍ତ୍ର ସେନାର ଆଧୁନିକୀକରଣ କରିବା ପାଇଁ ଚୀନର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ ଯୋଜନା କରୁଛି। ଏସବୁ କାମ ଖୁବ୍ ଗୁପ୍ତଭାବରେ କରାଯାଉଥିବାର ଜଣାପଡ଼ିଛି।
‘ପେଣ୍ଟାଗନ୍’ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଚୀନ୍ ମହାକାଶ ଯୁଦ୍ଧ ଓ ମହାକାଶ ଯୁଦ୍ଧର ମୁକାବିଲା ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି କରୁଛି । ଏହା ମୁଖ୍ୟତଃ ଆମେରିକା ସାମରିକ ବଳର ମୁକାବିଲାକୁ ଲକ୍ଷ ରଖି ପ୍ରସ୍ତୁତ କରାଯାଉଛି । ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜଭୁତ କରିବା ପାଇଁ ରାଷ୍ଟ୍ରପତି ସି-ଜିନପିଙ୍ଗ ପରମାଣୁ ଅସ୍ତ୍ରସବୁ ଆହୁରି ବିକଶିତ କରିବା ସହିତ ନୂଆ ଆଟମ୍ ବମ୍ ତିଆରି କରୁଛନ୍ତି ବୋଲି ପେଣ୍ଟାଗନ୍ ଆଶଙ୍କା କରିଛି ।
ପ୍ରତିରକ୍ଷା କ୍ଷେତ୍ରରେ ନିବେଶକୁ ବୃଦ୍ଧି କରିଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ୍ । ଏଥିପାଇଁ ସ୍ବତନ୍ତ୍ର ବଜେଟ୍ ମଧ୍ୟ ପ୍ରସ୍ତୁତ କରାଯାଉଛି । ଚୀନ୍ ନିଜର ସ୍ଥଳ, ବାୟୁ ଓ ଜଳସେନାର କ୍ଷମତାକୁ ବୃଦ୍ଧି କରିବ। ଶତ୍ରୁ ଦେଶକୁ ମାତ୍ ଦେବାପାଇଁ ଭୂପୃଷ୍ଠରୁ ଆକାଶକୁ, ଆକାଶରୁ ଆକାଶ ଓ ସମୁଦ୍ରରୁ ଆକାଶକୁ ପରମାଣୁ ଆଟାକ୍ ପାଇଁ ଆଣବିକ ଅସ୍ତ୍ର ତିଆରି କରୁଛି । ଫାଷ୍ଟ ବ୍ରିଡର ରିଆକ୍ଟର ଏବଂ ରିପ୍ରୋସେସିଂ ସୁବିଧା ବିକାଶିତ କରିବା ସହ ପ୍ଲୁଟୋନିୟମ୍ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିଛି।
ନିଜର ଆଣବିକ କ୍ଷମତା ଓ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବା ସହ ଆମେରିକା ସହ ପ୍ରତିଯୋଗୀତା କରିବାରୁ ଆଣବିକ ଯୁଦ୍ଧର ଭୟ ବୃଦ୍ଧି ପାଇବାର ଲାଗିଛି ଯାହା ଭବିଷ୍ୟତରେ ବିଶ୍ବ ପାଇଁ ବିପଦ ପାଲଟିବାକୁ ଯାଉଛି।
ବିଦେଶ ଖବର ଆହୁରି ପଢନ୍ତୁ ।