ବିଶ୍ଵରେ ଏବେ ଭାରତକୁ ନେଇ ଭାରି ଚର୍ଚ୍ଚା । କାରଣ ପ୍ରଧାନମନ୍ତ୍ରୀ ଯେଉଁ ଦେଶକୁ ଗସ୍ତ କରୁଛନ୍ତି ସେଠିକାର ନେତା କେମିତି ଭବ୍ୟ ସ୍ଵାଗତ କରୁଛନ୍ତି ତାହା ପୁରା ବିଶ୍ଵ ଦେଖୁଛି । ଏହାରି ଭିତରେ ଆମେରିକାରେ ବି ବାଇଡେନ୍ ମୋଦିଙ୍କୁ ସ୍ଵାଗତ କରିଥିଲେ । ଆଉ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ବି କରିଥିଲେ । ଖାସ୍ କରି ମୋଦି-ଜେଲେନସ୍କିଙ୍କ ୱାନ ଟୁ ୱାନ ମିଟିଂକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ପୂର୍ବରୁ ମୋଦି ଗତ ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତରେ ଯାଇ ଜେଲେନସ୍କିଙ୍କୁ ଭେଟିଥିଲେ । ଆଉ ରୁଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବା ଏବଂ ଶାନ୍ତି ପ୍ରତିଷ୍ଠା ଲାଗି ସବୁ ପ୍ରକାର ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ସେପଟେ, ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ସୋସିଆଲ ମିଡିଆ ଏକ୍ସରେ ନ୍ୟୁୟର୍କରେ ମୋଦି-ଜେଲେନସ୍କିଙ୍କ ଭେଟ ସମ୍ପର୍କରେ ପୋଷ୍ଟ କରିଛନ୍ତି । କହିଛନ୍ତି, ଏହି ବୈଠକ ବେଳେ ଦୁଇ ନେତା ଦ୍ଵିପାକ୍ଷିକ ସମ୍ପର୍କ ସହ ୟୁକ୍ରେନ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି, କଥାବାର୍ତ୍ତା ଓ କୂଟନୀତି ଜରିଆରେ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତ ଆଗ୍ରହୀ ଥିବା ନେଇ ପୁଣି ଥରେ ଜଣାଇଥିଲେ ।
ଋଷିଆ-ୟୁକ୍ରେନ୍ ଯୁଦ୍ଧ । ଆଜି କି କାଲିର ନୁହେଁ ବରଂ ୨ ବର୍ଷର । ଉଭୟ ଦେଶ କେହି କାହାରି ସାମ୍ନାରେ ମୁଣ୍ଡ ନୂଆଁଇବା ପରିସ୍ଥିତିରେ ନାହାନ୍ତି । ସେଇଥି ଲାଗି ତ ଉଭୟ ନେତା ପରସ୍ପର ସହ ଆଲୋଚନା କରିବା ପରେ ବି ଯୁଦ୍ଧ ଥମୁନି । ତେଣୁ ଏମିତି ସ୍ଥିତିରେ ମୋଦି ହିଁ ଏକମାତ୍ର ନେତା ଯିଏ କି ଯୁଦ୍ଧ ବନ୍ଦ କରିପାରିବେ । ତେଣୁ ମୋଦି ଜେଲନସ୍କିଙ୍କ ଆଲୋଚନା ପରେ ପୁଟିନ୍ଙ୍କ ସହ ମୋଦି ଯୁଦ୍ଧକୁ ନେଇ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ।