
ନୂଆଦିଲ୍ଲୀ : କେରଳରେ ଗୋଟିଏ ଗର୍ଭବତୀ ହାତୀର ହତ୍ୟା ମାମଲା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଏପରି ହୋଇଛି ଯେ ଏହାକୁ ଯେତେ ନିନ୍ଦା କରିଲେ ମଧ୍ୟ ତାହା କମ ହେବ। ତେବେ ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ କଥା ଉକ୍ତ ହାତୀକୁ ସପୁରୀରେ ବିସ୍ଫୋରକ ଲଗାଇ ଖୁଆଇଥିଲେ, ସେମାନଙ୍କୁ ଧରିବା ପାଇଁ ଏବେ ଜୋରଦାର ଉଦ୍ୟମ ଚାଲିଛି। ତେବେ ଏହି ମାମଲାକୁ କେନ୍ଦ୍ର ସରକାର ଅତ୍ୟନ୍ତ ଗୁରୁତର ସହ ନେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।
ସୂଚନାନୁଯାୟୀ, କେରଳର ମଲାଲାପୁରମରେ ହାତୀ ହତ୍ୟା ମାମଲାରେ କେନ୍ଦ୍ର ସରକାର ଗମ୍ଭୀରତା ଦେଖାଇଛନ୍ତି। ଅପରାଧୀଙ୍କୁ ସଠିକ୍ ଅନୁସନ୍ଧାନ କରି ଧରିବା ପାଇଁ କୌଣସି ବାଟ ଛଡ଼ାଯିବ ନାହିଁ। ହାତୀମାନଙ୍କୁ କ୍ରାକର ଖାଇବାକୁ ଦେବା ଏବଂ ହତ୍ୟା କରିବା ଭାରତୀୟ ସଂସ୍କୃତି ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।
କେରଳର ମଲାଲାପୁରମରୁ ମାନବିକତାକୁ ହତ୍ୟା କରିଲା ଭଳି ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ଜଣେ ଗର୍ଭବତୀ ମାଈ ହାତୀ ଖାଦ୍ୟ ଖୋଜିବା ପାଇଁ ଜଙ୍ଗଲ ନିକଟବର୍ତ୍ତୀ ଗାଁକୁ ଆସିଥିଲା, କିନ୍ତୁ ସେଠାରେ କିଛି ଲୋକ ତାକୁ ସପୁରୀର ଫାୟାର କ୍ରାକର ଭର୍ତ୍ତି କରି ଖାଇବାକୁ ଦେଇଥିଲେ, ଯାହା ଉକ୍ତ ହାତୀର ପାଟିରେ ଗଭୀର ଆଘାତ ସୃଷ୍ଟି କରିଥିଲା। ଏହାପରେ ଖାଇବା ପିଇବା ନକରିବାରୁ 3-4 ଦିନ ଭୀଷଣ କଷ୍ଟ ପାଇବା ପରେ ହାତୀଟି ମୃତ୍ୟୁବରଣ କରିଛି।
ଵନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ବିସ୍ଫୋରକ ଦ୍ୱାରା ହାତୀର ଦାନ୍ତ ଭାଙ୍ଗି ଯାଇଥିଲା। ଏହା ପରେ ମଧ୍ୟ ହାତୀଟି କାହାରି କିଛି ଅନିଷ୍ଟ କରିନଥିଲା ଏବଂ ସେ ଭେଲିଆର୍ ନଦୀରେ ପହଞ୍ଚି ସେଠାରେ ଯନ୍ତ୍ରଣାରୁ ମୁକ୍ତିପାଇଁ ତିନି ଦିନ ପାଣିରେ ଠିଆ ହୋଇଥିଲେ। କିନ୍ତୁ କିଛି ଖାଇବା ପିଇବା ନକରିପାରିବା କାରଣରୁ ହାତୀ ଏବଂ ତାର ଗର୍ଭସ୍ଥ ଶାବକର ମୃତ୍ୟୁ ହୋଇଥିଲା।
ଏହି ହତ୍ୟା ଅଭିଯୋଗରେ ଜଙ୍ଗଲ ବିଭାଗ ଗୁପ୍ତ ଭବେ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରାଯାଇଛି। ଭାରତରେ ପ୍ରଥମ ଥର ପାଇଁ ଏପରି ଅମାନବୀୟ ପଶୁହତ୍ୟା ଦେଖିବାକୁ ମିଳିଥିବା ବେଳେ ଏହି ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଉଛି।
