ନକ୍ସଲ ପ୍ରବଣ ୧୦ଟି ଆସନରେ ସକାଳ ୭ଟାରୁ ଦିନ ୩ଟା ଯାଏଁ ମତ ଦାନ ହେବ । ବାକି ଆସନରେ ସକାଳ ୭ଟାରୁ ଅପରାହ୍ନ ୫ ଟା ଯାଏଁ ଭୋଟ ନିଆଯିବ । ପ୍ରତି ବିଧାନସଭା ଆସନର ୧୦ଟି ବୁଥରେ କେବଳ ମହିଳା କର୍ମଚାରୀ ରହିବେ । ସୁରକ୍ଷା କର୍ମୀ ବି ରହିବେ ମହିଳା । ଏମାନଙ୍କୁ ଉତ୍ସାହିତ କରିବାକୁ ବସ୍ତର ଜିଲ୍ଲାପାଳ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଛନ୍ତି ।
ନିର୍ବାଚନ ପ୍ରଚାର ସମୟରେ ୨ଜଣ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ, ଏଥିସହ ଭୋଟ ବର୍ଜନ ପାଇଁ ଆହ୍ବାନ ଦେଇଛନ୍ତି । ଫଳରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଛତିଶଗଡ଼ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଛତିଶଗଡ଼ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ଆନ୍ଧ୍ର ପୋଲିସକୁ ମଧ୍ୟ ମୁତୟନ କରାଯାଇଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ବସ୍ତର ଡିଭିଜନର ୭ଟି ନକ୍ସଲ ପ୍ରଭାବିତ ଜିଲ୍ଲାରେ ଭୋଟ ଦାନ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ।
ମଙ୍ଗଳବାର ଭୋଟ୍ ହେବାକୁ ଥିବା 20 ଆସନ ମଧ୍ୟରୁ ଗତ ୨୦୧୮ ନିର୍ବାଚନରେ କଂଗ୍ରେସ ୧୭ଟି ଆସନ ଜିତିଥିଲା । ଏଥର ଏସବୁ ଆସନରେ ଭଲ ପ୍ରଦର୍ଶନ କରିବାକୁ ଜୋରଦାର ପ୍ରୟାସ କରିଛି ବିଜେପି । ଉଭୟ ଦଳର ବଡ଼ ବଡ଼ ନେତା କରିଛନ୍ତି ପ୍ରଚାର। ଏଥର ଯେଉଁ ବଡ଼ ବଡ଼ ନେତାଙ୍କ ଭାଗ୍ୟର ଫୈସଲା ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, କେଦାର କସ୍ୟପ ଓ କଂଗ୍ରେସରୁ ମନ୍ତ୍ରୀ କବାଷି ଲାକମା, ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବେଜ୍, ମହମ୍ମଦ ଆକବର ।
ଗୁହାରି ଶୁଣି ପାୱାର ଦେଲେ, ବାଡ ନଡେଇଁବା ଲାଗି ନିର୍ଦ୍ଦେଶ ଦେଲେ !
ବିଜେପି ଧର୍ମାନ୍ତରୀକରଣ, ମହାଦେବ ବେଟିଂ ଆପ୍ ସ୍କାମ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଦୁର୍ନୀତିକୁ ପ୍ରଚାରରେ ମୁଖ୍ୟ ପ୍ରସଙ୍ଗ କରିଛି । ସେପଟେ କଂଗ୍ରେସ ନିଜର ବିଭିନ୍ନ ଯୋଜନାର ପ୍ରଚାର ସହ ଋଣ ଛାଡ଼ର ପ୍ରତିଶ୍ରୁତି ଦେଇ ମଇଦାନକୁ ଓହ୍ଲାଇଛି । ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଜଗଦଲପୁର ସମେତ ପୁରା ବସ୍ତର ଜିଲ୍ଲାରେ ଓଡ଼ିଆଙ୍କ ଭୋଟ ବେଶ ଗୁରୁତ୍ୱ ରଖୁଛି। ଓଡିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଓ କୋଟପାଡର ଯଅଁରା ନଦୀର ପାଣି ସମସ୍ୟାର ସମାଧାନ ଏଠାରେ ନିର୍ବାଚନ ପ୍ରସଙ୍ଗ ହୋଇଛି। ପ୍ରଚାର ବେଳେ ଓଡ଼ିଆଙ୍କୁ ପ୍ରଭାବିତ କରିବାକୁ ଉଭୟ ବିଜେପି ଓ କଂଗ୍ରେସର ନେତା କରିଛନ୍ତି ଜୋରଦାର ଉଦ୍ୟମ।
୯୦ ଆସନ ବିଶିଷ୍ଟ ବିଧାନସଭାର ବଳକା ୭୦ ଆସନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ। ଡିସେମ୍ବର ୩ ତାରିଖରେ ହେବ ଭୋଟ ଗଣତି ।