ଅର୍ଗସ ବ୍ୟୁରୋ: ୨୦ ଛକା ମାରି ଫର୍ମକୁ ଫେରିଲେ ପାଣ୍ଡ୍ୟା । ୨୦ ଛକା ସହ ୫୫ ବଲରୁ ୧୫୮ ରନ କରି ସମସ୍ତଙ୍କୁ ଚକିତ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । 55 ବଲରେ ଧୁଆଁଧାର ଇନିଂସ୍ ଖେଳି 158 ରନ୍ ସଂଗ୍ରହ କରିଥିଲେ ପାଣ୍ଡ୍ୟା । ଡିଆଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମୁକାବିଲାରେ ପାଣ୍ଡ୍ୟାଙ୍କର ଏଭଳି ଚମତ୍କାର ବ୍ୟାଟିଂ ଦେଖିବାକୁ ମିଳିଛି ।
ପାଣ୍ଡ୍ୟାଙ୍କ ଶତକୀୟ ଇନିଂସ ବଳରେ ରିଲାଏନ୍ସ ୱାନ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଟିକେଟ ହାତେଇଛି । ପାଣ୍ଡ୍ୟାଙ୍କ ଏହି ୧୫୮ ରନର ଇନିଂସରେ ୬ଟି ଚୌକା ରହିଥିବା ବେଳେ ୨୦ଟି ବିଶାଳ ଛକା ସାମିଲ ଥିଲା । ଏଭଳି ବିସ୍ଫୋରକ ଇନିଂସ ବଳରେ ପାଣ୍ଡ୍ୟା ପୁଣିଥରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିବାକୁ ଇସାରା ଦେଇଛନ୍ତି ।
ପାଣ୍ଡ୍ୟାଙ୍କ ଏହି ଧୂଆଁଧାର ଇନିଂସ ବଳରେ ରିଲାଏନ୍ସ ୱାନ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୩୮ ରନର ବିଶାଳ ସ୍କୋର କରିଥିଲା । ସବୁଠୁ ବଡ କଥା ହେଲା ପାଣ୍ଡ୍ୟା ଏହି ଶତକୀୟ ଇନିଂସରେ ମାତ୍ର ୧୪ ରନ ଦୌଡି କରି ନେଇଥିବା ବେଳେ ବାକି ରନ୍ ବାଉଣ୍ଡରୀରୁ ଆସିଥିଲା । ଏହି ମ୍ୟାଚରେ ପ୍ୟାଣ୍ଡାଙ୍କୁ ଭରପୂର ସାଥ୍ ଦେଇଥିଲେ ସୌରଭ ତିୱାରୀ । ଉଭୟଙ୍କ ମଧ୍ୟରେ ୧୦୬ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା । ଚଳିତ ମାସରୁ ଆରମ୍ଭ ହେଉଥିବା ଆଇପିଏଲ ପାଣ୍ଡ୍ୟାଙ୍କ ପାଇଁ ଭାରତୀୟ ଦଳକୁ ଫେରିବାର ବାଟ ଫିଟାଇପାରେ ବୋଲି ଆଶା କରାଯାଉଛି ।
