ବେସରକାରୀ ବ୍ୟବହାର, ଉଚ୍ଚ କ୍ୟାପେକ୍ସ, କର୍ପୋରେଟ୍ ବାଲାନ୍ସ ସିଟ୍ ମଜବୁତ କରିବା, ଛୋଟ ବ୍ୟବସାୟ ପାଇଁ ଋଣ ଅଭିବୃଦ୍ଧି ଏବଂ ପ୍ରବାସୀ ଶ୍ରମିକମାନେ ସହରକୁ ଫେରିବା ଦ୍ୱାରା ଅଭିବୃଦ୍ଧି ବୃଦ୍ଧି ପାଇଛି । ପିପିପି ମାମଲାରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ପାଲଟିଥିବା ବେଳେ ବିନିମୟ ମୂଲ୍ୟ ଦୃଷ୍ଟିରୁ ଏହା ପଞ୍ଚମ ବୃହତ୍ତମ ଅର୍ଥନୀତି । ଦେଶରେ ଜିଏସଟି ସଂଗ୍ରହ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । 2018ରେ ମାସିକ ହାରାହାରି ଜିଏସଟି ସଂଗ୍ରହ 90 ହଜାର କୋଟି ଥିବା ବେଳେ 2023ରେ ଏହା 1ଲକ୍ଷ 49 ହଜାର କୋଟିରେ ପହଞ୍ଚିଛି ।
ସେହିପରି ଚଳିତ ଆର୍ଥିକ ବର୍ଷରେ ଦେଶରେ ବେକାରୀ ଦର ହ୍ରାସ ପାଇଛି । 2021 ସେପ୍ଟେମ୍ବରରେ ଭାରତରେ ବେକାରୀ ହାର 9.8 ପ୍ରତିଶତ ଥିବା ବେଳେ 2022 ସେପ୍ଟେମ୍ବର ବେଳକୁ ଏହା 7.2 ପ୍ରତିଶତକୁ ଖସି ଆସିଛି । ପିରିଅଡିକ୍ ଲେବର ଫୋର୍ସ ସର୍ଭେର ତଥ୍ୟ ଅନୁସାରେ 4 ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ସହରାଞ୍ଚଳ ବେକାରୀ ହାର । ଗ୍ରାମାଞ୍ଚଳ ଜନମଙ୍ଗଳ ସୂଚକାଙ୍କ ଅନୁଯାୟୀ ବୟସ ତୁଳନାରେ ପିଲାଙ୍କ ଉଚ୍ଚତା ହ୍ରାସ ଦେଶରେ କମିଛି । 2016ରେ ଏହା 38.4 ପ୍ରତିଶତ ଥିବା ବେଳେ 2021ରେ ଏହି ହାର 35.5 ପ୍ରତିଶତକୁ ଖସିଆସିଛି । ସେହିପରି ଶିଶୁଙ୍କର ଉଚ୍ଚତା ତୁଳନାରେ ଓଜନ ହ୍ରାସ ମଧ୍ୟ ଦେଶରେ କମିଛି । 2016ରେ 21 ପ୍ରତିଶତ ଥିବା ବେଳେ 2021 ରେ ଏହା 19.3 ପ୍ରତିଶତକୁ କମି ଯାଇଛି । ଅଣ୍ଡରୱେଟ୍ ଶିଶୁଙ୍କ ସଂଖ୍ୟାବି ଦେଶରେ କମିଛି 2016ରେ ଏହା 35.8 ପ୍ରତିଶତ ଥିବା ବେଳେ 2021 ବେଳକୁ ଖସିଆସିଛି 32.1 ପ୍ରତିଶତକୁ । ଏହାସହ ସବୁଠାରୁ ବଡ଼କଥା ବିଦେଶ ମୁଦ୍ରା ଭଣ୍ଡାର ବଢ଼ିବାରେ ଲାଗିଛି । ନଭେମ୍ୱର 2022ର ତଥ୍ୟ ଅନୁସାରେ ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତିକୁ ଦେଖିଲେ ବିଶ୍ୱରେ ରୁଷ ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ସେପଟେ 2022-23 ଅର୍ଥନୈତିକ ରିପୋର୍ଟକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ରଖିଛନ୍ତି ଅର୍ଥନିତିଜ୍ଞ ।