ସମସ୍ତଙ୍କ ଅଭିଯୋଗକୁ ଶୁଣିବା ପରେ ଗୋଟି ଗୋଟି କରି ଉତ୍ତର ରଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବଙ୍କ ଭଳି ନେତା ପରୀକ୍ଷା ବ୍ୟବସ୍ଥାର ବାସ୍ତବତାକୁ ବୁଝିପାରୁନାହାନ୍ତି । ଏବଂ ଅତ୍ୟନ୍ତ ବେପରୁଆ ମନ୍ତବ୍ୟ ଦେଉଛନ୍ତି । ୟୁପିଏ ଶାସନ କାଳରେ ପେପର ଲିକ୍ ସଂପର୍କରେ ଆଲୋଚନା ହେଲେ ସେମାନଙ୍କ ଦୟନୀୟ ସ୍ଥିତି ସାମନାକୁ ଆସିଯିବ ।
2010ର କପି ରୋକିବା ଆଇନ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ଶିକ୍ଷାମନ୍ତ୍ରୀ । ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ 2010 ମସିହାରେ 3ଟି ଆଇନ ଆଣିଥିଲେ କେନ୍ଦ୍ର ସରକାର । ଏଥିରୁ ଗୋଟିଏ ଥିଲା ପ୍ରୋହିବିସନ୍ ଅଫ୍ ଅନ୍ ଫେୟାର ପ୍ରାକ୍ଟିସ୍ ବିଲ୍ । ଯାହାର ଉଦ୍ଦେଶ୍ୟ ଥିଲା ଶିକ୍ଷାନୁଷ୍ଠାନରେ ପରୀକ୍ଷାରେ କପି ରୋକିବା । କିନ୍ତୁ କାହା ଚାପରେ ପଡ଼ି ଏହି ବିଲକୁ ପ୍ରତ୍ୟାହାର କରିନେଇଥିଲେ ୟୁପିଏ ସରକାର ସେ କଥା କହିବେ କି ?
କେଉଁ ବାଧ୍ୟତାମୂଳକ ଚାପରେ ଏବଂ କେଉଁ କାରଣରୁ କଂଗ୍ରେସ ଅନିୟମିତତା ରୋକିବା ପାଇଁ ବିଲ୍ ଆଣିବାକୁ ମନା କରିଥିଲା ତାହା ବିରୋଧୀ ଦଳ କହିପାରିବ କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧୀ ପରୀକ୍ଷା ପରିଚାଳନାର ମୌଳିକ ଜ୍ଞାନ ମଧ୍ୟ ହାସଲ କରିନାହାନ୍ତି । ଏବଂ କଂଗ୍ରେସ ସରକାର ଶିକ୍ଷାନୁଷ୍ଠାନରେ ଅନିୟମିତତା ରୋକିବା ପାଇଁ ବିଲ୍ କୁ କାର୍ଯ୍ୟକାରୀ କରିବା ପାଇଁ କାହିଁକି ପଛଘୁଞ୍ଚା ଦେଇଥିଲା ସେ ଦିଗରେ ମଧ୍ୟ ଦୃଷ୍ଟିପାତ କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଗତ 7 ବର୍ଷ ମଧ୍ୟରେ ପେପର୍ ଲିକ୍ ହେବାର କୌଣସି ପ୍ରମାଣ ମିଳି ନାହିଁ । ନିଟ୍-ୟୁଜି ବିବାଦରେ ସରକାରଙ୍କର କିଛି ଲୁଚାଇବାର ନାହିଁ । ଆମେ ସୁପ୍ରିମକୋର୍ଟରେ ସବୁ ତଥ୍ୟ ଦାଖଲ କରିଛୁ । ଏବଂ ଯେ କୌଣସି ଆଲୋଚନା ପାଇଁ ଗୃହ ପ୍ରସ୍ତୁତ ଅଛି ବୋଲି ସଫା ସଫା କହିଛନ୍ତି ଧର୍ମେନ୍ଦ୍ର ।
ଅନ୍ୟପଟେ NEET-UG ପରୀକ୍ଷା ବିବାଦକୁ ନେଇ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ NTA ଏବଂ IIT ମାଡ୍ରାସ ଯେଉଁ ଯାଞ୍ଚ ରିପୋର୍ଟ ଦାଖଲ କରିଛନ୍ତି, ସେଥିରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ପ୍ରମାଣ ନାହିଁ । ପୁନଃ ପରୀକ୍ଷା କଲେ ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ଫଳରେ ପୁନଃ ନିଟ୍ ପରୀକ୍ଷା ହେବ ନାହିଁ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।
ଆହୁରି ପଢନ୍ତୁ ଭାରତ ଖବର...