ଭାରତର ଏହି ମହତ କାମ ପାଇଁ ୱେଷ୍ଟଇଣ୍ଡିଜର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଖୁବ୍ ପ୍ରଶଂସା କରିଛନ୍ତି। ଏକ ଭିଡିଓ ଶେଆର୍ କରି ଭିଭିଆନ୍ ରିଚାର୍ଡ୍ସ, ରିଚି ରିଚାର୍ଡସନ୍, ଜିମ୍ମି ଆଡାମ୍ସଙ୍କ ଭଳି ଖେଳାଳି ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।
ରିଚାର୍ଡ୍ସ କହିଛନ୍ତି, ଆଣ୍ଟିଗୁଆ ଓ ବାର୍ବାଡୋସର ବାସିନ୍ଦାଙ୍କ ତରଫରୁ ଭାରତ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତର ଜନସାଧାରଣଙ୍କୁ ଧନ୍ୟବାଦ। ସେମାନେ ଆମ ପାଖରେ କରୋନା ଭ୍ୟାକସିନର ଡୋଜ୍ ପହଞ୍ଚାଇଛନ୍ତି। ଏହାଦ୍ୱାରା ଆମର ସମ୍ପର୍କ ଆହୁରି ମଜଭୁତ୍ ହେବ। ସେହିପରି ରିଚି ରିଚାର୍ଡସନ୍ ମଧ୍ୟ ଭାରତର ଏହି ହୃଦୟବାନ କାମ ପାଇଁ ଅନ୍ତରରୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଣ୍ଟିଗୁଆ ଓ ବାର୍ବାଡୋସ୍ ସରକାର ଓ ଜନତାଙ୍କ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଉଛୁ। ଭାରତ ସରକାର ଆମକୁ କରୋନା ଭ୍ୟାକସିନର ୪୦ହଜାର ଡୋଜ୍ ପଠାଇଛି।
ସେହିପରି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡର ନିର୍ଦ୍ଦେଶକ ଜିମ୍ମି ଆଡାମ୍ସ କହିଛନ୍ତି, ଯେଉଁଭଳି ଭାବେ ଭାରତ ସରକାର କ୍ୟାରିକମ୍ ଦେଶଗୁଡ଼ିକୂ କରୋନା ଭ୍ୟାକସିନ୍ ପଠାଉଛନ୍ତି, ତାହା ନିଶ୍ଚିତ ପ୍ରଶଂସାଯୋଗ୍ୟ। ଏଥିରେ ମୋ ନିଜ ଦେଶ ଜାମାଇକାର ଲୋକଙ୍କୁ ମଧ୍ୟ ବହୁତ ଫାଇଦା ହେବ। ପୂର୍ବତନ ୱିଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ରାମନରେଶ ସରୱାନ୍ ମଧ୍ୟ ଗାଏନାକୁ କୋଭିଡ୍-୧୯ ଭ୍ୟାକସିନ୍ ପଠାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, 'କ୍ୟାରିକମ୍' ହେଉଛି ୨୦ଟି କ୍ୟାରିବିଆନ୍ ଦେଶର ଏକ ଗ୍ରୁପ୍, ଯେଉଁଠାରେ ୧.୬ କୋଟି ଲୋକ ରୁହନ୍ତି। ଭାରତ 'ଟିକା ମୈତୀ' ଅଭିଯାନ ଆଧାରରେ ଭୂଟାନକୁ ୧.୫ ଲକ୍ଷ, ମରିସସ ଓ ବାହାରିନକୁ ଲକ୍ଷେ ଲେଖାଏ, ନେପାଳକୁ ୧୦ଲକ୍ଷ, ବାଂଲାଦେଶକୁ ୨୦ ଲକ୍ଷ, ମିଆଁମାରକୁ ୧୫ଲକ୍ଷ, ସିଚେଲ୍ସକୁ ୫୦ହଜାର, ଶ୍ରୀଲଙ୍କାକୁ ୫ଲକ୍ଷ କୋଭିଡ୍-୧୯ ଟିକା ପହଞ୍ଚାଇ ସାରିଛି ।