ସିଦ୍ଧାରମେୟା ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି । ହେଲେ ରାଜ୍ୟରେ ଶାସନ ପରିବର୍ତନ ହେବା ପରେ ପରେ ହିଁ କର୍ଣ୍ଣାଟକରେ ଜନସାଧାରଣଙ୍କୁ ଝଟକା ଲାଗିଛି । ରାଜ୍ୟରେ ଏବେ ବିଜୁଳି ଦରରେ ବୃଦ୍ଧି ହୋଇଥିବା ଘୋଷଣା କରାଯାଇଛି । ଏବେ କର୍ଣ୍ଣାଟକରେ ଗ୍ରାହକ ମାନଙ୍କୁ ବିଜୁଳି ପାଇଁ ପ୍ରତି ୟୁନିଟ 2.89 ଟଙ୍କା ଅଧିକ ଦେବାକୁ ପଡିବ । ଏହି ବର୍ଧିତ ଦର 2 ଶହ ୟୁନିଟରୁ ଅଧିକ ଖର୍ଚ କରୁଥିବା ବିଜୁଳି ଉପଭୋକ୍ତାଙ୍କୁ ଦେବାକୁ ପଡିବ । କର୍ଣାଟକ ସରକାରଙ୍କ ପକ୍ଷରୁ ଏହି ଦର ବୃଦ୍ଧି ନେଇ ବିଧିବଦ୍ଧ ଭାବେ ଆଦେଶ ଜାରୀ କରାଯାଇଛି ।
ତେବେ କର୍ଣାଟକରେ ଏହି ବିଜୁଳି ଦର ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଲୋକ ମାନେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ କର୍ଣାଟକର ନାଗରିକ ମାନେ ସେମାନଙ୍କର ଇଲେକ୍ଟ୍ରି ବିଲ କମ କରାଯିବ ବୋଲି ଭାବୁଥିଲେ । କଂଗ୍ରେସ ସରକାରରେ ଆସିବା ପୂର୍ବରୁ ଏ ସମ୍ପର୍କରେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା ।
ଏବେ କଣ ଗ୍ରାହକ ମାନଙ୍କର ବିଲ ବଢିବାକୁ ଯାଉଛି । ଏହା ଲୋକ ମାନଙ୍କ ପ୍ରତି ଅନ୍ୟାୟ ବୋଲି ସେମାନେ ଲେଖିଛନ୍ତି ।
ତେବେ ଏହି ମାମଲାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ବିଜୁଳିର ଦର ବୃଦ୍ଧି କରିବାର ନିଷ୍ପତି ଆମର ନୁହେଁ। ଆମେ ବିଜୁଳି ଦର ବଢାଇବାକୁ ନିଷ୍ପତି ଗ୍ରହଣ କରି ନାହୁଁ । ଏହା କର୍ଣ୍ଣାଟକ ବିଜୁଳି ନିୟାମକ ପ୍ରାଧିକରଣର ନିଷ୍ପତି । ଏହା ପୂର୍ବକୁ ନିଆଯାଇଥିଲା । ଏହାକୁ କେବଳ ଆମେ ଲାଗୁ କରୁଛୁ ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ହିମାଚଳ ପ୍ରଦେଶରେ ମଧ୍ୟ କଂଗ୍ରେସ ନିର୍ବାଚନ ପୂର୍ବରୁ 3 ଶହ ୟୁନିଟ ବିଜୁଳି ମାଗଣା ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ସେଠାରେ ମଧ୍ୟ କଂଗ୍ରେସ ସରକାର କ୍ଷମତାସୀନ ହେବା ପରେ ବିଜୁଳି ଦର ବଢି ସାରିଛି । ହିମାଚଳ ପ୍ରଦେଶ ସରକାର ବିଜୁଳି ପ୍ରତି ୟୁନିଟ 86 ପଇସା ବୃଦ୍ଧି କରିବାକୁ ନିଷ୍ପତି ନେଇଥିଲେ । ଏହି ବର୍ଧିତ ଦର 2023-24 ବର୍ଷ ପାଇଁ ଲାଗୁ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର