କୋଡିପେଣ୍ଡେସିର ଅର୍ଥ ନିଜଠାରୁ ଅନ୍ୟମାନଙ୍କୁ ଅଧିକ ଗୁରୁତ୍ବ ଦେବା । ଅନ୍ୟର ଆଚରଣ ଅନୁସାରେ ନିଜକୁ ସମୀକ୍ଷା କରିବା । କୋଡିପେଣ୍ଡେସି ବ୍ୟକ୍ତିଗତ ତଥା ସାମାଜିକ ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ । କୋଡିପେଣ୍ଡେସି ଥିବା ବ୍ୟକ୍ତି ନିଜ ସକ୍ଷମ ଥିଲେ ବି ସବୁ ବେଳେ ନିଜକୁ ଦୁର୍ବଳ ଭାବନ୍ତି ।
ଅନ୍ୟମାନଙ୍କୁ ଆକର୍ଷିତ କରିବା ପାଇଁ ନିଜସ୍ବତା ହରାଇବାକୁ କୁଣ୍ଠାବୋଧ କରନ୍ତି ନାହିଁ । ଅନ୍ୟମାନଙ୍କ ଖୁସି ପାଇଁ ନିଜ ଖୁସିକୁ ବଳିଦାନ ଦିଅନ୍ତି । ଅନ୍ୟମାନଙ୍କ ବ୍ୟବହାର ନିଜ ପ୍ରତି କେମିତି ରହୁଛି ସେ ବିଷୟରେ ଅଧିକ ଚିନ୍ତା କରିନ୍ତି । ସମସ୍ତେ ସାଥୀରେ ଥିଲେ ବି କେହି ସାଥୀରେ ନରହିବାର ଡର ଅନୁଭବ କରନ୍ତି । ଅନ୍ୟମାନଙ୍କୁ ଖୁସି କରିବା ପାଇଁ ନିଜ ପସନ୍ଦକୁ ଅଣଦେଖା କରନ୍ତି । ସବୁ ବେଳେ ନିଜକୁ ଦୋଷୀ ବୋଲି ଭାବନ୍ତି । ନିଜ ପାଇଁ କିଛି କରିବା ସମୟରେ କୁଣ୍ଠା ଅନୁଭବ କରନ୍ତି ।
ଦୁନିଆରେ ଏବେ ସମ୍ପର୍କର ମୂଲ୍ୟ ହଜିଯାଇଛି ବୋଲି ଆପଣଙ୍କୁ ମନେ ହେଉଥିବ ନିଶ୍ଚୟ। ନିଜକୁ ଅସହାୟ ଅନୁଭବ କରୁଥିବେ। କାହାକୁ ହରାଇବାର ଡରରେ ଆପଣ ଜୀବନକୁ ଜୀଇଁବା ଭୁଲି ଯାଇନାହାନ୍ତି ତ ? ଏ ସବୁ ପ୍ରଶ୍ନ ସମୟ ବାହାର କରି ଥରେ ନିଜକୁ ନିଶ୍ଚିତ ପଚାରନ୍ତୁ ।
ଏହିପରିକି କୋଡିପେଣ୍ଡେସିର ଶିକାର ବ୍ୟକ୍ତି ନିଜ ପ୍ରିୟ ତଥା ନିକଟତର ଲୋକଙ୍କୁ ପରିଚାଳିତ କରିବା ପାଇଁ ଚେଷ୍ଟା କରନ୍ତି । ଏବଂ ବିଫଳ ହେଲେ କଷ୍ଟ ଅନୁଭବ କରନ୍ତି । ନିଜ ସାମର୍ଥ ଠାରୁ ଅଧିକ କାମ କରି ଅନ୍ୟମାନଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିବା । ଏଥିପ୍ରତି ସଚେତନ ହୁଅନ୍ତି ଆପଣ କିମ୍ବା ଆପଣଙ୍କ ପିଲା ଏହିପରି ସ୍ଥିତିରେ ନାହାନ୍ତି ତ ।
ଯଦି କୋଡିପେଣ୍ଡେସିର ଶିକାର ତେବେ ବିଚଳିତ ହୁଅନ୍ତୁ ନାହିଁ । ନିଜକୁ ନିଜେ ଟିକେ ସମୟ ଦିଅନ୍ତୁ । ନିଜକୁ ତଥା ନିଜ ଆବଶ୍ୟକତାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହା ସହ ନିଜକୁ ଭଲ ଲାଗୁଥିବା କାମ କରିବାକୁ ଚେଷ୍ଟା କରନ୍ତୁ । ଏବଂ ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନିଜ ପାଖରେ ହିଁ ଥାଏ ନିଜକୁ ଖୁସି କରିବାର କୌଶଳ ତାହାକୁ ବୁଝିବା ଆବଶ୍ୟକ ।