ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଘଟିଥିବା ବିସ୍ଫୋରଣ ପରେ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏମିତିକି ଭାରତର ବିଦେଶୀ ବନ୍ଧୁ ରାଷ୍ଟ୍ରମାନେ ମଧ୍ୟ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ବିସ୍ଫୋରଣରେ ସହିଦ ଜବାନଙ୍କ ପାଇଁ ସାରା ବିଶ୍ୱ ଆଜି ସମବେଦନା ଜଣାଇଛି । ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି । ଏହାକୁ ସାରା ବିଶ୍ୱରେ ନିନ୍ଦା କରାଯାଇଛି । ତେବେ ଭାରତର ଯୁବ ପିଢିଙ୍କ ମଧ୍ୟରେ ଏବେ ଚର୍ଚ୍ଚା ହେଉଛି ଯେ, ‘ଆଉ ଏକ ସର୍ଜିକାଲ ଷ୍ଟାଇକ୍’ର ନିତ୍ୟାନ୍ତ ଆବଶ୍ୟକ ରହିଛି । ସୋସିଆଲ ମିଡିଆରେ କେବଳ ସେଇ ଗୋଟିଏ ଚର୍ଚ୍ଚା ଏବେ ଜୋର୍ ଧରିଛି । ଭାରତ ଚାହେଁ ଆଉ ଗୋଟିଏ ସର୍ଜିକାଲ ଷ୍ଟ୍ରାଇକ୍ ।
ଏହି ଆତଙ୍କବାଦୀଙ୍କ ବର୍ବରାତପୂର୍ବକ କାଣ୍ଡକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଛି । ଜମ୍ମୁ କଶ୍ମୀରରେ ଏକ ବିଶାଳ ଯୁବଗୋଷ୍ଠୀ ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନେ ଘଟଣାକୁ ଲଜ୍ଜାଜନକ କହିବା ସହିତ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଅପିଲ କରିଛନ୍ତି ।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ମଧ୍ୟ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଆତଙ୍କବାଦୀଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । ବିଜେପି କର୍ମୀମାନେ ଶୋକସନ୍ତପ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଜଣେ କର୍ମୀ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ପୀଡ଼ାଦାୟକ । ପାକିସ୍ତାନ ଦ୍ୱାରା ଏହି ଆତଙ୍କବାଦୀମାନେ ହିଂସା କାଣ୍ଡ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନକୁ ଏହାର କଡ଼ା ଜବାବ ଦିଅନ୍ତୁ ବୋଲି ମଧ୍ୟ ସେ ଦାବି କରିଛନ୍ତି ।
ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ପଂଜାବରେ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ପ୍ରଦର୍ଶନ ହୋଇଛି । ପୁଲଓ୍ୱାମା ଆତଙ୍କବାଦୀ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ସିଆରପିଏଫ ବସ୍ ଉପରକୁ ହୋଇଥିବା ଆକ୍ରମଣରେ 40 ଜଣ ଯବାନ ସହିଦ ହେବା ପରେ ବିଦେଶରେ ଭାରତକୁ ସମର୍ଥନ ମିଳିଛି । ପ୍ରାୟ ୨୫୦୦ ଯବାନ ୭୮ଟି ବସରେ ଜମ୍ମୁରୁ ଶ୍ରୀନଗର ଯାଉଥିବା ରାସ୍ତାରେ ଆତଙ୍କବାଦୀଙ୍କ ଦ୍ୱାରା ଗୁରୁବାର ପ୍ରାୟ ଅପରାହ୍ନ ୩ଟା ୩୦ ବେଳକୁ ବିସ୍ଫୋରଣ ହୋଇଥିଲା ।
