ଅର୍ଗସ ବ୍ୟୁରୋ: ଭାରତୀୟ ସେନା ପାକିସ୍ତାନ ଓ ଚୀନ ଭଳି ଦେଶ ମାନଙ୍କ ଦ୍ୱାରା ନିୟମିତ ଭାବେ କରାଯାଉଥିବା ଡ୍ରୋନ ଆକ୍ରମଣକୁ ଆଖି ଆଗରେ ରଖି ନୂଆ ରଣନୀତି ପ୍ରସ୍ତୁତ କରିଛି । ଏବେ ଡ୍ରୋନ ବିପଦ ସହିତ ମୁକାବିଲା କରିବା ପାଇଁ ଭାରତୀୟ ସେନା ଏବେ ଚିଲ କୁ ତାଲିମ ଦେଇଛି । ଏହାର ନାମ ଅର୍ଜୁନ ରଖା ଯାଇଛି । ଏହି ଚିଲକୁ ସବୁ ପ୍ରକାର ତାଲିମ ଦିଆଯାଇଛି ଯାହା ଦ୍ୱାରା ସେ ଡ୍ରୋନର ବିପଦକୁ ଶେଷ କରିବାକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବ ।
ଉତ୍ତରାଖଣ୍ଡର ଔଲି ଠାରେ ଭାରତ – ଆମେରିକା ମଧ୍ୟରେ ଯୁଗ୍ମ ପ୍ରଶିକ୍ଷଣ ଯୁଦ୍ଧାଭ୍ୟାସରେ ଏହି ଚିଲ ଏହାର ଏକ ଉଦାହରଣ ମଧ୍ୟ ପ୍ରସ୍ତୁତ କରିଥିଲା । ଡ୍ରୋନର ଶୀକାର କରିବାକୁ ଏଭଳି ପ୍ରୟୋଗ ଭାରତୀୟ ସେନା ପ୍ରଥମ ଥର ପାଇଁ କରୁଛି । ଏହି ଯୁଦ୍ଧାଭ୍ୟାସ ସମୟରେ ଭାରତୀୟ ସେନା ଏଭଳି ଏକ ସ୍ଥିତି ଉତ୍ପନ୍ନ କରିଥିଲା ଯେଉଁଥିରେ ଚିଲ ଓ ସେନାର କୁକୁର ମିଶି ଡ୍ରୋନକୁ ଖୋଜି ତାକୁ ଧ୍ୱଂସ କରିବାର ଥିଲା । ସେନାର କୁକୁର ଯେତେବେଳେ ଡ୍ରୋନର ଶବ୍ଦ ଶୁଣିଲା ସେତେବେଳେ ସେ ଭୁକିବା ଆରମ୍ଭ କରି ଦେଲା । ଚିଲ ଅର୍ଜୁନ ସଙ୍ଗେ ସଙ୍ଗେ ଉଡିବା ଆରମ୍ଭ କରିଦେଲା ଓ ନିଜ ପଂଜାରେ ଡ୍ରୋନକୁ ଧ୍ୱଂସ କରି ଦେଇଥିଲା ।
ବାସ୍ତବରେ ଏହି ଚିଲଟି ହେଉଛି ଆଂଟି ଡ୍ରୋନ ଚିଲ ।ଭାରତୀୟ ସେନା ଡ୍ରୋନ ଆକ୍ରମଣର ମୁକାବିଲା କରିବାକୁ ଚିଲ ଓ କୁକୁର ମାନଙ୍କୁ ପ୍ରଶିକ୍ଷିତ କରୁଛି । ମେରଠରେ ସେମାନଙ୍କୁ ତାଲିମ ଦିଆ ଯାଉଛି ।ପାକିସ୍ତାନ ଏହି ଡ୍ରୋନ ଜରିଆରେ ଅସ୍ତ୍ର ଶସ୍ତ୍ର ଓ ଡ୍ରଗ୍ସ ଭାରତୀୟ ସୀମାରେ ପଠାଇଥାଏ । ଭାରତୀୟ ସେନା ଓ ସୀମା ସୁରକ୍ଷା ବଳ ପାଇଁ ଡ୍ରୋନ ଗୁଡିକର ମୁକାବିଲା କରିବା ସହଜ ହୋଇ ନ ଥାଏ । କିନ୍ତୁ ଚିଲ ମାନଙ୍କୁ ଆବଶ୍ୟକୀୟ ତାଲିମ ଦେବା ପରେ ଶତ୍ରୁ ଦେଶର ସଂଦିଗ୍ଧ ଡ୍ରୋନକୁ ସମାପ୍ତ କରିବାକୁ ସେନା ଏମାନଙ୍କୁ ବ୍ୟବହାର କରିବାକୁ ଯାଉଛି ।
ତାଲିମ ପୁରା ହେବା ମାତ୍ରେ ଅର୍ଜୁନ ଚିଲର ସହଯୋଗରେ ପାକିସ୍ତାନ ଓ ଚୀନର ଡ୍ରୋନ ଗୁଡିକୁ ଧ୍ୱସ୍ତ କରିବାକୁ ଆଉ ଆଂଟି ଡ୍ରୋନ ବନ୍ଧୁକର ଆବଶ୍ୟକତା ପଡିବ ନାହିଁ। ଏଥି ପାଇଁ ଏହି ଚିଲ ମାନଙ୍କୁ ବ୍ୟବହାର କରାଯିବ । ଖୁବ ଶୀଘ୍ର ଏହି ଚିଲ ମାନଙ୍କର ତାଲିମ ପୂରା ହେବା ପରେ ସେମାନଙ୍କୁ ସେନାକୁ ପ୍ରଦାନ କରାଯିବ ।
ଏହି ଚିଲ ମାନଙ୍କର ବିଶେଷତ୍ୱ ହେଲା ଯେ ଏମାନେ ଖୁବ ଉଚ୍ଚରେ ଉଡି ପାରନ୍ତି ଓ ତାଙ୍କର ଦୃଷ୍ଟି ମଧ୍ୟ ତୀକ୍ଷ୍ଣ । ଅର୍ଥାତ ଶତ୍ରୁ ଦେଶ ଚାହିଁ ମଧ୍ୟ ସେମାନଙ୍କର ଡ୍ରୋନକୁ ଏହି ଚିଲର ଆକ୍ରମଣରୁ ବଂଚାଇ ପାରିବ ନାହିଁ। ଶତ୍ରୁର ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିବା ମାତ୍ରେ ଚିଲ ତା ଉପରେ ଆକ୍ରମଣ କରି ତାକୁ ଧ୍ୱଂସ କରି ଦେବ ।