ପଶ୍ଚିମବଙ୍ଗ ବଜାରରେ ବି ଆଳୁ ଦର ଆକାଶ ଛୁଆଁ । ଦାମ୍ 50 ଟଙ୍କା ପାର୍। ଏପଟେ ନିଜସ୍ବ ଉଦ୍ୟମରେ ଲୁଚା ଛପାରେ ବ୍ୟବସାୟୀମାନେ ଓଡ଼ିଶାକୁ କିଛି କିଛି ଆଳୁ ଆଣୁଛନ୍ତି । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ। ସେପଟେ ଆଳୁଦର ନିୟନ୍ତ୍ରଣ ପାଇଁ ଆକ୍ସନ ମୁଡରେ ମୋହନ ସରକାର। ନୀତି ଆୟୋଗ ବୈଠକ ପାଇଁ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଳୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି । ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କ ଆଲୋଚନା ପରେ ଆଳୁ ଟ୍ରକ ଆସୁଛି । ପୁଣି ଉତ୍ତର ପ୍ରଦେଶରୁ ବି ଆଳୁ ମଗାଯାଇଛି । ଏଣୁ ରାଜ୍ୟରେ ଦିନେ ଦୁଇ ଦିନ ଖସିଯିବ ଆଳୁ ଦର । ଅସାଧୁ ବ୍ୟବସାୟୀ, ମହଜୁଦକାରୀ ଓ କଳାବଜାରୀଙ୍କୁ ସାବାଡ଼ କରିବାକୁ ଖୋଦ ଯୋଗାଣ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି।
ଆଳୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ଉଦ୍ୟମ। କିନ୍ତୁ ପ୍ରଶ୍ନ ହେଲା ଓଡ଼ିଶାରେ କାହିଁକି ଏ ସମସ୍ୟା ? କାହିଁକି ପ୍ରତିବର୍ଷ ଆଳୁଦର ଯୋଗୁଁ ହନ୍ତସନ୍ତ ଖାଉଟି ? ଆଳୁ ମାମଲାରେ କାହିଁ ଓଡ଼ିଶାକୁ ନାଲି ଆଖି ଦେଖାଉଛି ପଶ୍ଚିମବଙ୍ଗ ? କାହିଁକି ଆଳୁ ଉତ୍ପାଦନରେ ଏଯାଏଁ ଆତ୍ମନିର୍ଭରଶୀଳ ହୋଇନାହିଁ ଆତ୍ମନିର୍ଭରଶୀଳ ? ପ୍ରକୃତରେ ଗତ ବିଜେଡି ସରକାରର ଅପାରଗତା ଓ ବିଫଳତାର ପରିଣାମ ଭୋଗୁଛନ୍ତି ରାଜ୍ୟବାସୀ ।
ସିଏଜି ରିପୋର୍ଟ ବି ବିଫଳ ଆଳୁ ମିଶନ ନେଇ ନବୀନ ସରକାରର ଅସଲ ମୁଖା ଖୋଲିଛି । ୨୦୧୫-୧୬ରେ ଆଳୁ ମିଶନ ପାଇଁ ୫୦ କୋଟି ମଞ୍ଜୁର ହୋଇଥିବା ବେଳେ ଖର୍ଚ୍ଚ ହୋଇଥିଲା ମାତ୍ର ୨୪.୦୫ କୋଟି ଟଙ୍କା ଅର୍ଥାତ୍ ୫୦ ପ୍ରତିଶତ ଅର୍ଥ ବି ଖର୍ଚ୍ଚ କରି ନ ଥିଲେ ସରକାର । ସେହିପରି ୨୦୧୬-୧୭ରେ ୬୦ କୋଟି ଟଙ୍କା ବଜେଟରେ ଦିଆଯାଇଥିଲେ ବି ମାତ୍ର ୧୫ କୋଟି ଟଙ୍କା କୃଷି ନିର୍ଦ୍ଦେଶାଳୟକୁ ଦିଆଯାଇଥିଲା । ଯେଉଁଥିରୁ ମାତ୍ର୨ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୭-୧୮ରେ ୨୦ କୋଟି ଟଙ୍କା ବଜେଟରେ ପ୍ରାବଧାନ କରାଯାଇଥିବା ବେଳେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରି ନ ଥିଲା । ସେହିପରି ଅମଳ ବେଳେ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଓଡ଼ିଆ ଚାଷୀ କମ ଟଙ୍କାରେ ଆଳୁ ବିକି ଅଧିକ ଟଙ୍କାରେ କିଣୁଛନ୍ତି। ୨୪ ବର୍ଷ ବିଜେଡି ସରକାର ସମୟରେ ୧୦୦ ରୁ ଅଧିକ ଶୀତଳ ଭଣ୍ଡାର ଅଚଳ ହୋଇଛି । କିନ୍ତୁ ନୂଆ ଶୀତଳ ଭଣ୍ଡାର ଖୋଲିବା କିମ୍ବା ଅଚଳକୁ ସଚଳ କରିବା ଲାଗି କୌଣସି ପଦକ୍ଷେପ ନେଇନଥିଲେ ପୂର୍ବର ବିଜେଡି ସରକାର। ଯାହାର ଫଳ ଆଜି ଲୋକେ ଭୋଗୁଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: