ଶୁକ୍ରବାର ସନ୍ଧ୍ୟା ୪ଟା ୪୫ ମିନିଟ୍ । ଏକ ଅଫିସରେ ନିଆଁ ଲାଗିଥିବା ନେଇ ପୋଲିସ ଷ୍ଟେସନକୁ ଖବର ଆସିଲା। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଦେଖିଲା ମାତ୍ରକେ ଜଳି ଉଠିଛି ୩ ମହଲା ବିଶିଷ୍ଟ ବ୍ୟବସାୟ ପ୍ରତିଷ୍ଠାନ । ରାଜଧାନୀ ଦିଲ୍ଲୀ ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟ ବିଲ୍ଡିଂରେ ନିଆଁ ଲାଗିଛି ।
ପ୍ରଥମ ମହଲାରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଏହା ବ୍ୟାପି ଯାଇଥିଲା । ପୂରା କୋଠା ନିଆଁ କବଜାକୁ ଆସି ଯାଇଥିଲା । କିଛି ଲୋକ ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପଡିଥିଲେ । ନିଆଁର ପ୍ରକୋପ ଏତେ ଥିଲା ଯେ ତାକୁ ଆୟତ କରିବାକୁ ନୟାନ୍ତ ହୋଇ ପଡିଥିଲେ ଅଗ୍ନିଶମ କର୍ମଚାରୀ । ସାଧାରଣତଃ ଏହି କୋଠାରେ କମ୍ପାନୀଗୁଡିକ ପାଇଁ ରୁମ ଉପଲବ୍ଧ କରାଯାଏ। କୋଠାର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଭୟାବହତା ଏତେ ଥିଲା ଯେ, ଦେଖୁ ଦେଖୁ ନିଆଁ ଅନ୍ୟ କୋଠାକୁ ବ୍ୟାପି ଯାଇଥିଲା।
ଅନେକ ମୃତଦେହ ସହ ଶତାଧିକ ଆହତଙ୍କୁ ବିଲଡିଂ ଭିତରୁ ବାହାର କରାଯାଇଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅନେକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅଶଙ୍କା କରାଯାଉଛି । ଅଗ୍ନିଶମ କର୍ମଚାରୀ ପ୍ରାୟ ୩୦୦ରୁ ୩୫୦ ଜଣଙ୍କୁ ବାହାର କରିଛନ୍ତି। ୨୪ଟି ଦମକଳ ବାହିନୀ ଉଦ୍ଧାର କାମରେ ଲାଗିଥିଲେ । ପ୍ରବଳ ଧୂଆଁ କାରଣରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣା ପଡିନାହିଁ।