ଭୁବନେଶ୍ୱର: ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ଦୁଇ ଓଡ଼ିଆ । ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ଦେଲେ ମୋଦି ସରକାର । କ୍ୟାବିନେଟ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ଶପଥ ନେଇଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଥମ ଥର ଶପଥ ନେଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ଦୀର୍ଘ ବର୍ଷ ଧରି ଦଳ ପାଇ କାର୍ଯ୍ୟ କରିବା ସହ ଲୋକଙ୍କ ହିତରେ ସମୟ ଅତିବାହିତ କରିଛନ୍ତି ଏହି ଦୁଇ ପୁରୁଖା ନେତା । ଆସନ୍ତୁ ନଜର ପକାଇବା ସେମାନଙ୍କ ପ୍ରୋଫାଇଲ୍ ଉପରେ...
ଧର୍ମେନ୍ଦ୍ର ପ୍ରଧାନ ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ପ୍ରଥମ ପାଳିରେ ତାଙ୍କର କାର୍ଯ୍ୟ ମଧ୍ୟ ବେଶ ପ୍ରଶଂସନୀୟ ଥିଲା । ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଓ ଦକ୍ଷତା ବିକାଶ ତଥା ଉଦ୍ୟମତା ମନ୍ତ୍ରୀ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଛନ୍ତି ଧର୍ମେନ୍ଦ୍ର । ୨୦୦୦ରୁ ୨୦୦୪ ପାଲଲହଡ଼ାରୁ ବିଧାନସଭାକୁ ନିର୍ବାଚିତ ହେବାପରେ ୨୦୦୪ରେ ଦେବଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର ।
୨୦୦୪ରୁ ୨୦୦୬ ସେ ଭାରତୀୟ ଜନତା ଯୁବମୋର୍ଚ୍ଚାର ଜାତୀୟ ସଭାପତି ମଧ୍ୟ ଥିଲେ । ୨୦୦୭ରେ ଜାତୀୟ ସଚିବ ସହ ୨୦୧୦ରେ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ନେଇ ଦଳ ପାଇଁ ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି ସୂଚାରୁ ରୂପେ ଦାୟିତ୍ୱ ତୁଲାଇଛନ୍ତି । ବିଜେପିରେ ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ ସଦାବେଳେ ଜାତୀୟ ଗଣମାଧ୍ୟମରେ ଚର୍ଚାରେ । ସେଥିପାଇଁ ତାଙ୍କୁ ପ୍ରଥମ ଥର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ସହ ରାଷ୍ଟ୍ରପାହ୍ୟାରୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ମିଳିଥିଲା ।
ଗରିବ ପରିବାରକୁ ଉଜ୍ଜ୍ୱଳା ଯୋଜନା ଯୋଗାଇବାରେ ତାଙ୍କର ଭୂମିକା ପାଇଁ ସେ ସାରା ଦେଶରେ ପ୍ରଶଂସାର ପାତ୍ର ହୋଇଛନ୍ତି । ଏଥର ନିର୍ବାଚନରେ ଏହି ଯୋଜନା ପାଇଁ ବିଜେପି ଅଧିକ ଭୋଟ ସହ ଅଧିକ ଆସନ ହାତେଇଥିବା ସମୀକ୍ଷକମାନେ କୁହନ୍ତି । ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ସଂଗଠନ ସହ ଅନେକ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିଛନ୍ତି । ବିଜେପି ଧର୍ମେନ୍ଦ୍ରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବା ବେଳେ ସବୁ ପ୍ରକାର ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରି ଦେଖାଇଛନ୍ତି ଧର୍ମେନ୍ଦ୍ର ।
ବିହାର, କର୍ଣ୍ଣାଟକ, ଛତିଶଗଡ଼, ଝାରଖଣ୍ଡ , ଉତ୍ତରାଖଣ୍ଡ ରାଜ୍ୟର ନିର୍ବାଚନ ପରିଚାଳନରେ ତାଙ୍କର ଗୋଟି ଚାଳନା ଦଳକୁ ସଫଳତା ଦେଇଛି । ତାଙ୍କ ଉଦ୍ୟମରେ ବିଜେପି ରାଜ୍ୟରେ ପଂଚାୟତ ନିର୍ବାଚନରେ ୨ୟ ସ୍ଥାନକୁ ଆସିପାରିଥିଲା । କଂଗ୍ରେସ ତୃତୀୟ ସ୍ଥାନକୁ ଖସିଯାଇଥିଲା । ଅନେକ ସ୍ଥାନରେ ବିଜେଡି ଦୁର୍ଗକୁ ଭାଂଗି ବିଜେପି ନିଜର ଗେରୁଆ ବାନା ଉଡାଇଥିଲା । କେବଳ ପଶ୍ଚିମ ଓଡ଼ିଶା ନୁହେଁ ଉପକୂଳ ଓ ଉତ୍ତର ଓଡ଼ିଶାରେ ବିଜେପି ନିଜର କାୟା ବିସ୍ତାର କରିବା ସହ ସାରା ରାଜ୍ୟରେ ଏଥର ନିର୍ବାଚନରେ ବିଜେଡିଠାରୁ ୮ଟି ଆସନ କାଢ଼ି ଆଣିବା ସହ ବିପୁଳ ସଫଳତା ହାସଲ କରିଛି ।
ପ୍ରଥମ ଓଡ଼ିଆ ଭାବେ ସେ ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭାବେ ସେ ମୋଦି ଏବଂ ଶାହଙ୍କ ବିଶ୍ୱାସ ଭାଜନ ହେବା ସହ ନିଜେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣା କରିଥିବାରୁ ପୁନର୍ବାର ମଧ୍ୟପ୍ରଦେଶରୁ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା ଦଳ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ରଙ୍କ ନିଷ୍ଠା ପାଇଁ ପୁଣି ଏଥର ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଛନ୍ତି ମୋଦି ।
ପ୍ରତାପ ଷଢ଼ଙ୍ଗୀ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରତାପ ଷଢ଼ଙ୍ଗୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ସାଧାରଣ ପରିବାରରୁ ଆସିଥିବା ପ୍ରତାପ ଷଢ଼ଙ୍ଗୀ ଏଥର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କର ସରଳ ଜୀବନ ଯାପନ ପାଇଁ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚାରେ ଅଛନ୍ତି ପ୍ରତାପ । ଲୋକସଭାକୁ ନିର୍ବାଚିତ ହେବାପରେ ମୋଦି ମଧ୍ୟ ତାଙ୍କୁ ପୁରସ୍କାର ସ୍ୱରୁପ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି । ୧୯୫୫ ମସିହା ନଭେମ୍ବର ୧୦ରେ ନୀଳଗିରି ବ୍ଲକ୍ କାହାଳିଆ, ନାୟିନାଥ ପୁର ଶାସନରେ ଜନ୍ମ ଗ୍ରହଣ କରିଥିବା ପ୍ରତାପ ରାଜନୀତି ସହ ସେବାକାର୍ଯକୁ ଅଧିକା ଗୁରୁତ୍ୱ ଦେଇଥାନ୍ତି ।
ବାଲେଶ୍ୱର ଗୋପିନାଥ ପୁରରେ ଅନେକ ସମୟ ରହୁଥିବା ପ୍ରତାପ ଷଢ଼ଙ୍ଗୀ ୧୯୭୧ ମସିହାରେ ମାଟ୍ରିକ ପାସ କରିବା ପରେ ଫକୀରମୋହନ କଲେଜରେ ଅଧ୍ୟୟନ ସମାପ୍ତ କରି ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ପ୍ରତାପ ଷଢ଼ଙ୍ଗୀ ୨୦୦୪ରେ ନୀଳଗିରି ବିଧାନସଭା ଆସନରେ ବିଜୟ ଲାଭ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୦୯ରେ ପୁନର୍ବାର ମଧ୍ୟ ବିଜୟ ହୋଇଥିଲେ ପ୍ରତାପ । କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ବାଲେଶ୍ୱର ଆସନରୁ ପରାଜିତ ହୋଇଥିଲେ ।
ତେବେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଥମ ଥର ଲୋକସଭାକୁ ଯାଇଥିବା ପ୍ରତାପ ଷଢ଼ଙ୍ଗୀଙ୍କୁ ଏଥର ମୋଦି ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇ ସମ୍ମାନିତ କରିଛନ୍ତି । ତାଙ୍କ ସରଳ ନିରାଡମ୍ବର ଜୀବନ ପାଇଁ ସେ ସାରା ଓଡ଼ିଶା ସହ ଏବେ ଦେଶରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବିଳାସପୂର୍ଣ୍ଣ ଜୀବନଠାରୁ ଦୂରରେ ଥିବା ପ୍ରତାପ ଛାତ୍ର ଜୀବନରୁ ଆରଏସଏସ ପରେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସହ ଜଡିତ ରହି ଅନେକ ସେବାମୂଳକ କାର୍ଯ୍ୟ କରିଛନ୍ତି । କଟ୍ଟର ହିନ୍ଦୁତ୍ୱ ଉପରେ ତାଙ୍କର ମତ ପାଇଁ ସେ ଅନେକ ସମୟରେ ଚର୍ଚାରେ ରହିଥାନ୍ତି । ଗୋ ହତ୍ୟା ବିରୋଧରେ ସେ ଅନେକ ସମୟରେ ଆନ୍ଦୋଳନ କରିଛନ୍ତି । ନିଜର ହିନ୍ଦୁତ୍ୱକୁ ନେଇ ଭାଷଣ ପାଇଁ ସେ ନିଜ ଦଳ ଏବଂ ସାଧାରଣରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
