ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪’ରେ ‘ଓଡ଼ିଶା ମଣ୍ଡପ’କୁ ମିଳିଛି ରୌପ୍ୟ ପଦକ । ଏହି ବିଶାଳ ବାଣିଜ୍ୟ ମେଳାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ଏହି ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ଶ୍ରୀଯୁକ୍ତ ବିଶାଲ ଗଗନ ଓଡ଼ିଶା ସରକାରଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଙ୍ଗଠନର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ସିଂହ ଖରୋଲାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ‘ଓଡ଼ିଶା ମଣ୍ଡପ’ର ନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ କୁମାର ଭୋଇ, ପ୍ରଦର୍ଶନୀ ଅଧିକାରୀ ଶ୍ରୀ ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ ୨୭ ତାରିଖରେ ଶେଷ ହୋଇଛି । ‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ଥିମରେ ଚଳିତ ବର୍ଷ ‘ଓଡ଼ିଶା ମଣ୍ଡପ’ର ଡିଜାଇନ ପ୍ରସ୍ତୁତ କରାଯାଇଥିଲା ।